ଅହମଦାବାଦ୍‌ରେ ବସ୍‌ଷ୍ଟାଣ୍ଡ୍‌ରୁ ମିଳିଲା କ‌ରୋନା ରୋଗୀଙ୍କ ମୃତଦେହ

ପରିବାର ଲୋକ କ୍ଷୁବ୍ଧ, ତଦନ୍ତ ନିର୍ଦ୍ଦେଶ ଦେଲେ ରୁପାନୀ

ଅହମଦାବାଦ୍ : ଅହମଦାବାଦ୍‌ରେ ଅତ୍ୟନ୍ତ ଅପ୍ରତ୍ୟାଶିତ ଘଟଣାକ୍ରମରେ ଜଣେ କ‌ରୋନା ରୋଗୀଙ୍କ ମୃତଦେହ ବସ୍‌ ଷ୍ଟାଣ୍ଡ୍‌ରୁ ମିଳିଛି। ଛଗନ ମକୱାନା ନାମକ ଏହି ବ୍ୟକ୍ତିଙ୍କ ବୟସ ୬୭। ମେ’ ୧୦ ତାରିଖରୁ ସେ ଅହମଦାବାଦ୍‌ ସିଭିଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ଏବଂ ହସ୍ପିଟାଲ୍‌ ବାହାରକୁ ତାଙ୍କ ମୃତଦେହ କିଭଳି ଆସିଲା ସେନେଇ ଏବେ ପ୍ରଶ୍ନବା‌ଚୀ ସୃଷ୍ଟି ‌ହୋଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତଦେହ ପୁଲିସ ଚିହ୍ନଟ କରିବାପରେ ମର ଶରୀରକୁ ସହରର ଭିଏସ୍‌ ହସ୍ପିଟାଲ୍‌କୁ ଆଣିଥିଲା। ମୃତକଙ୍କ ପକେଟ୍‌ରୁ ଏକ ଚିଠି ଏବଂ ଏକ ମୋବାଇଲ୍‌ ଫୋନ୍‌ ମିଳିଛି। ଏଥିରୁ ପୁଲିସ ତାଙ୍କ ପରିବାର ସଦସ୍ୟଙ୍କ ପାଖରେ ପହଞ୍ଚି ପାରିଥିଲା। ଜଣାପଡ଼ିଥିଲା ଯେ, ଛଗନ ଅହମଦାବାଦ୍‌ର ଡାନିଲିମ୍‌ଦା ବାସିନ୍ଦା। ଛଗନଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ଛଗନ କ‌ରୋନା ଆକ୍ରାନ୍ତ ଥିବା ଜଣାପଡ଼ିବାରେ ତାଙ୍କୁ ସିଭିଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଛଗନଙ୍କ ପରିବାର ସଦସ୍ୟଙ୍କୁ କହିଥିଲେ ‌ଯେ, ଯେତେବେଳେ ସେ କରୋନାରୁ ସୁସ୍ଥ ହେବେ ସେନେଇ ସେମାନଙ୍କୁ ଅବଗତ କରା‌ଯିବ। କିନ୍ତୁ ହଠାତ୍‌ ଛଗନଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ସଦସ୍ୟଙ୍କୁ ସ୍ତବ୍ଧ କରିଦେଇଛି। ତେବେ ଛଗନ୍‌ କିଭଳି ଅହମଦାବାଦ୍‌ ସିଭିଲ୍‌ ହସ୍ପିଟାଲ୍‌ ବାହାରକୁ ଆସିଲେ ତାହା ଜାଣିବାପାଇଁ ତାଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଉକ୍ତ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅବସରପ୍ରାପ୍ତ ଆଇଏଏସ୍‌ ଜେପି ଗୁପ୍ତା ଉକ୍ତ ଘଟଣାର ତଦନ୍ତ କରି ୨ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାପାଇଁ ରୁପାନୀ କହିଛନ୍ତି।

ସମ୍ବନ୍ଧିତ ଖବର