ବରଯାତ୍ରୀଙ୍କୁ ଧରି ମତଦାନ କରିବାକୁ ପହଞ୍ଚିଲା ବର, ଲୋକଙ୍କୁ ଦେଲେ ଏଭଳି ବାର୍ତ୍ତା

ନୂଆଦିଲ୍ଲୀ: ଆଜି ଜାତୀୟ ରାଜଧାନୀ ଦିଲ୍ଲୀର ୭୦ଟି ବିଧାନସଭା ଆସନ ନିମନ୍ତେ ୧୩, ୭୫୧ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ହୋଇଥିଲା। ତେବେ ଏହି ମତଦାନ ପ୍ରକ୍ରିୟାରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ନିଜ ନିଜର ଅଧିକାର ସାବ୍ୟସ୍ତ କରିଥିବା ବେଳେ ବିବାହ କରିବାକୁ ଯାଉଥିବା ଜଣେ ବର ମତଦାନ କେନ୍ଦ୍ରରେ ପହଞ୍ଚିବା ଚର୍ଚ୍ଚାର ବିଷୟ ହୋଇଛି । ବିବାହ ପାଇଁ ସମୟ ଗଡ଼ିଯାଉଥିବା ବେଳେ ପ୍ରଥମେ ବର ମତଦାନ କେନ୍ଦ୍ରଙ୍କୁ ବରାଯାତ୍ରୀଙ୍କ ସହ ଯାଇ ମତଦାନ କରିବା ପରେ ବିବାହ ମଣ୍ଡପକୁ ଯାଇଥିଲେ । ତାଙ୍କ କହିବା ଅନୁଯାୟୀ, ୫ବର୍ଷ ପରେ ବିବାହ ହୋଇପାରିବ, କିନ୍ତୁ ବର୍ତ୍ତମାନ ଭୋଟ୍ ଦେବା ବେଶୀ ଗୁରୁତ୍ବ ରଖେ। ଶକରପୁର ମତଦାନ କେନ୍ଦ୍ର‌ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ବର ସହ ଆସିଥିବା ବରଯାତ୍ରୀମାନେ ମଧ୍ୟ ମତଦାନ କରିଥିଲେ ବୋଲି ଜଣାପଡ଼ିଛି।

ଚଳିତ ବର୍ଷ ଦିଲ୍ଲୀରେ କ୍ଷମତା ହାସଲ କରିବା ପାଇଁ ବିଜେପି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ଅନେକ ରୋଡ୍ ସୋ’ କରିବା ସହ ବଡ଼ ବଡ଼ ରାଲି କରିଥିଲେ। ମତଦାତାଙ୍କୁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦେଇ ଏହି ୩ଟି ଦଳ ଭୋଟ୍ ହାତେଇବାକୁ ଚେଷ୍ଟା କରିଥିଲା। ଏବେ ମତଦାନ ସରିଥିବା ବେ‌ଳେ ଜନତା କାହାକୁ ଦିଲ୍ଲୀର ଶାସନ ଭାର ସମ୍ଭାଳିବା ପାଇଁ ବାଛିଛନ୍ତି ତାହା ଫେବୃଆରି ୧୧ରେ ଜଣାପଡ଼ିବ।

 

ସମ୍ବନ୍ଧିତ ଖବର