ଜାଣନ୍ତୁ ନିର୍ଭୟା ମାମଲାର ଘଟଣାକ୍ରମ: ଆରମ୍ଭରୁ ଆଜି ଯାଏ
୨୦୧୨ ମସିହାର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଦୀର୍ଘ ୭ ବର୍ଷ ପରେ ଶେଷରେ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି। ମାମଲାରେ ୪ ଦୋଷୀଙ୍କୁ ଆସନ୍ତା ଜାନୁଆରି ୨୨ ତାରିଖ ସକାଳ ୭ଟାରେ ତିହାର୍ ଜେଲ୍ରେ ଫାଶୀ ହେବ। ଏଥିସହ ନିର୍ଭୟାଙ୍କ ପିତାମାତାଙ୍କ ୭ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ତେବେ ଏବେ ବି ଦୋଷୀଙ୍କ ପାଖରେ ଶେଷ ଆବେଦନ କରିବା ପାଇଁ ସମୟ ରହିଛି। ଯଦି ସେମାନେ ରିଟ୍ ପିଟିସନ୍ କିମ୍ବା କ୍ଷମା ଆବେଦନ କରିବେ ତା’ହେଲେ ମୃତ୍ୟୁ ପରୱାନା କାର୍ଯ୍ୟକାରୀ କରିବା ଉପରେ ରୋକ୍ ଲାଗିବ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୨, ଡିସେମ୍ବର ୧୬: ଜଣେ ନାବାଳକଙ୍କ ସମେତ ସମୁଦାୟ ୬ ଜଣ, ରାମ ସିଂହ (ବସ୍ ଡ୍ରାଇଭର), ରାମସିଂହର ଭାଇ ମୁକେଶ ସିଂହ. ଅକ୍ଷୟ ଠାକୁର, ବିନୟ ଶର୍ମା, ପୱନ ଗୁପ୍ତା ଦ୍ବାରା ଡାକ୍ତରୀ ଛାତ୍ରୀ ‘ନିର୍ଭୟା’ ଗଣଦୁଷ୍କର୍ମର ଶିକାର।
୨୦୧୩, ଜାନୁଆରି ୩: ହତ୍ୟା, ଗଣଦୁଷ୍କର୍ମ, ହତ୍ୟା ଉଦ୍ୟମ, ଅପହରଣ, ଡକାୟତି ମାମଲାରେ ଦିଲ୍ଲୀ ପୁଲିସ ଦ୍ବାରା ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ।
ଜାନୁଆରି ୨୮: ମାମଲାରେ ଷଷ୍ଠ ଅଭିଯୁକ୍ତ ଜଣେ ନାବାଳକ ବୋଲି ଜେଜେବି (କିଶୋର ନ୍ୟାୟ ବୋର୍ଡ) ଦ୍ବାରା ଘୋଷଣା।
ଫେବ୍ରୁଆରି ୨: ୫ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ସମେତ ୧୩ଟି ମାମଲା ରୁଜୁ।
ମାର୍ଚ୍ଚ ୧୧: ତିହାର ଜେଲ୍ରେ ଆତ୍ମହତ୍ୟା କଲା ବସ୍ ଡ୍ରାଇଭର ରାମ୍ ସିଂହ।
ମାର୍ଚ୍ଚ ୨୧: ଦେଶରେ ଦୁଷ୍କର୍ମ ଆଇନରେ ସଂଶୋଧନ ଅଣାଗଲା। ୬ ଦୋଷୀଙ୍କୁ ଦଣ୍ଡ ଦେବାପାଇଁ ନୂଆ ଦୁଷ୍କର୍ମ ବିରୋଧୀ କଠୋର ଆଇନ ଆସିଲା।
ଅଗଷ୍ଟ ୩୧: ଗଣଦୁଷ୍କର୍ମ ଏବଂ ହତ୍ୟା ପାଇଁ ଜେଜେବି (କିଶୋର ନ୍ୟାୟ ବୋର୍ଡ) ନାବାଳକଙ୍କୁ ଦୋଷୀ ସାବ୍ୟସ୍ତ କଲେ ଏବଂ ତାଙ୍କୁ ୩ ବର୍ଷ ପାଇଁ ବାଳ ସୁଧାର ଗୃହରେ ରଖିବାକୁ ନିର୍ଦ୍ଦେଶ।
ସେପ୍ଟେମ୍ବର ୧୦: ଗଣଦୁଷ୍କର୍ମ , ହତ୍ୟା ଏବଂ ଅସ୍ବାଭାବିକ କାର୍ଯ୍ୟ ସମେତ ସମୁଦାୟ ୧୩ ଟି ଅପରାଧ ମାମଲାରେ ଫାଷ୍ଟ ଟ୍ରାକ୍ କୋର୍ଟ ସମସ୍ତ ୪ ଜଣଙ୍କୁ ଦୋଷୀସାବ୍ୟସ୍ତ କଲେ।
ସେପ୍ଟେମ୍ବର ୧୩: ସମସ୍ତ ୪ ଜଣଙ୍କୁ ଫାଷ୍ଟ୍ ଟ୍ରାକ୍ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ। ଦିଲ୍ଲୀ ହାଇକୋର୍ଟକୁ ମାମଲା ସ୍ଥାନାନ୍ତର।
ନଭେମ୍ବର ୧: ଦିଲ୍ଲୀ ହାଇକୋର୍ଟ ନିୟମିତ ବ୍ୟବଧାନରେ ମାମଲାର ଶୁଣାଣି କଲେ।
୨୦୧୪, ମାର୍ଚ୍ଚ ୧୩: ୪ ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ କାଏମ ରଖିଲେ।
୨୦୧୫ ଡିସେମ୍ବର ୨୦: ଦିଲ୍ଲୀ ହାଇକୋର୍ଟ ନାବାଳକଙ୍କୁ ମୁକ୍ତ କରିବାପାଇଁ ମନା କରିଦେଲେ। ୩ ବର୍ଷ ବାଳ ସୁଧାର ଗୃହରେ ରହିବାପରେ ନାବାଳକ ମୁକୁଳିଲେ ।
୨୦୧୬ ଏପ୍ରିଲ ୩: ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଆରମ୍ଭ।
୨୦୧୭ ମାର୍ଚ୍ଚ ୨୭: ମାମଲାର ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଶୁଣାଣି କରିବାପରେ ସୁପ୍ରିମକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଲେ।
ମେ’ ୫: ୪ ଅଭିଯୁକ୍ତ ଅକ୍ଷୟ ଠାକୁର, ବିନୟ ଶର୍ମା, ପୱନ ଗୁପ୍ତା ଏବଂ ମୁକେଶ ସିଂହଙ୍କ ଦଣ୍ଡକୁ କାଏମ ରଖିଲେ ସୁପ୍ରିମକୋର୍ଟ।
୨୦୧୮ ଜୁଲାଇ ୯: ପୱନ, ମୁକେଶ ଏବଂ ବିନୟଙ୍କ ଦ୍ବାରା ଦାଖଲ ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟରେ ଖାରଜ ।
ଡିସେମ୍ବର ୧୩: ଦୋଷୀଙ୍କ ମୃତ୍ୟୁଦଣ୍ଡାଦେଶକୁ ତ୍ବରାନ୍ବିତ କରିବାପାଇଁ ନିର୍ଭୟାଙ୍କ ବାପା ମା’ ପଟିଆଲା ହାଉସ୍ କୋର୍ଟର ଦ୍ବାରସ୍ଥ ।
୨୦୧୯: ଅକ୍ଟୋବର ୨୯: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସମସ୍ତ ଦୋଷୀ କ୍ଷମା ଆବେଦନ କରିବାପାଇଁ ତିହାର ଜେଲ୍ ୭ ଦିନ ସମୟ ଦେଲେ।
ନଭେମ୍ବର ୮: ଦିଲ୍ଲୀ ସରକାରରେ କ୍ଷମା ଆବେଦନ କଲେ ବିନୟ ଶର୍ମା।
ନଭେମ୍ବର ୨୯: ଦିଲ୍ଲୀ ସରକାରଙ୍କ ଗୃହ ମନ୍ତ୍ରାଳୟ ବିନୟ ଶର୍ମାଙ୍କ କ୍ଷମା ଆବେଦନ ପ୍ରତ୍ୟାଖ୍ୟାନ କରିବା ସହ ଏହାକୁ ମୁଖ୍ୟ ସଚିବଙ୍କ ନିକଟକୁ ପଠାଇଲେ।
ନଭେମ୍ବର ୩୦: ମୁଖ୍ୟ ସଚିବ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ସହ ଗୃହ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କ ନିକଟକୁ ଫାଇଲ୍ ପଠାଇ ଦେଇଥିଲେ।
ଡିସେମ୍ବର ୧: ଜୈନ୍ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି ଏହାକୁ ଉପରାଜ୍ୟପାଳ (ଏଲ୍ଜି)ଙ୍କ ନିକଟକୁ ପଠାଇ ଥିଲେ।
ଡିସେମ୍ବର ୨: ବିନୟଙ୍କ କ୍ଷମା ଆବେଦନ ପ୍ରତ୍ୟାଖ୍ୟାନ କଲେ ଏଲ୍ଜି। ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ମଂଜୁରି ଦେଲେ
ଡିସେମ୍ବର ୬: ଦିଲ୍ଲୀ ସରକାରଙ୍କ କ୍ଷମା ଆବେଦନ ପ୍ରତ୍ୟାଖ୍ୟାନ ସଂକ୍ରାନ୍ତ ଦିଲ୍ଲୀ ସରକାରଙ୍କ ସୁପାରିସକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ରାଷ୍ଟ୍ରପତିଙ୍କୁ ପଠାଗଲା
ଡିସେମ୍ବର ୧୦: ସୁପ୍ରିମକୋର୍ଟରେ ଦୋଷୀ ଅକ୍ଷୟ ଦ୍ବାରା ରିଭ୍ୟୁ ପିଟିସନ୍ ଦାଖଲ।
ଡିସେମ୍ବର ୧୭: ମାମଲାର ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି।
ଡିସେମ୍ବର ୧୮: ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଖାରଜ ।
ଡିସେମ୍ବର ୧୮: ଡେଥ୍ ୱାରେଣ୍ଟ୍ ଜାରି ସଂକ୍ରାନ୍ତ ଶୁଣାଣିକୁ ଜାନୁଆରି ୭ ଯାଏଁ ସ୍ଥଗିତ ରଖିଲେ ଦିଲ୍ଲୀ କୋର୍ଟ। ନିଭର୍ୟାଙ୍କ ମା’ କୋର୍ଟ ପରିସରରେ କାନ୍ଦି ପକାଇଲେ ।
୨୦୨୦ ଜାନୁଆରି ୭: ସମସ୍ତ ୪ ଦୋଷୀଙ୍କ ପାଇଁ ଡେଥ୍ ୱାରେଣ୍ଟ୍ ଜାରି କଲେ ଦିଲ୍ଲୀ କୋର୍ଟ।