ପୁନର୍ବାର ତାଲିମ ନିଅ କହି ୯୦ଜଣ ‘ସ୍ପାଇସ୍‌ଜେଟ୍‌’ ପାଇଲଟ୍‌ ପାଇଁ ‘ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ୍‌’ ଉଡ଼ାଣ ନିଷେଧ କଲେ ‘ଡିଜିସିଏ’

ନୂଆଦିଲ୍ଲୀ: ‘ବ‌ୋଇଙ୍ଗ୍‌ ୭୩୭ ମ୍ୟାକ୍ସ୍‌’ ବିମାନ ଚଳାଇବାକୁ ଅଯୋଗ୍ୟ କହି ‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌’ (ଡିଜିସିଏ) ‘ସ୍ପାଇସ୍‌ଜେଟ୍‌’ର ୯୦ଜଣ ପାଇଲଟ୍‌ଙ୍କ ଉପରେ ନିଷେଧାଜ୍ଞା ଜାରି କରିଛି। ସେମାନେ ସଫଳତାର ସହିତ ଆଉ ଗୋଟାଏ ପର୍ଯ୍ୟାୟ ଉଡ଼ାଣ ତାଲିମ୍‌ ଶେଷ ନ କଲା ପର୍ଯ୍ୟନ୍ତ ଏହି ନିଷେଧାଜ୍ଞା ବଳବତ୍ତର ରହିବ।

ଗଣମାଧ୍ୟମକୁ ‘ଡିଜିସିଏ’ର ମୁଖ୍ୟ ଅରୁଣ କୁମାର କହିଛନ୍ତି, ମ୍ୟାକ୍ସ୍‌ ବିମାନ ଚଳାଇବାରୁ ଆମେ ଏହି ପାଇଲଟ୍‌ମାନଙ୍କ ପ୍ରତି ଏବେ ନିଷେଧାଜ୍ଞା ଜାରି କରିଛୁ। ଏହି ବିମାନ ଚଳାଇବାକୁ ସେମାନେ ସଫଳତାର ସହିତ ଆଉ ଥରେ ତାଲିମ ଗ୍ରହଣ କରିବାକୁ ପଡ଼ିବ। ତାଲିମ ଗ୍ରହଣ କରିବାରେ ତ୍ରୁଟି ଥିବା ପାଇଲଟ୍‌ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Image Courtesy of India Today

ଉଲ୍ଲେଖଯୋଗ୍ୟ, ୫ ମାସ ଭିତରେ ୨ଟି ବିମାନ ‘ଲାୟନ୍‌ ଏୟାର୍‌ ଫ୍ଲାଇଟ୍‌ ଜେଟି୬୧୦’ ଏବଂ ‘ଇଥିଓପିଆନ୍‌ ଏୟାର୍‌ଲାଇନ୍‌ସ୍‌ ଫ୍ଲାଇଟ୍‌ ଇଟି୩୦୨’ ଦୁର୍ଘଟଣାଗ୍ରସ୍ତ ହୋଇ ୩୪୬ଜଣ ବ୍ୟକ୍ତି ପ୍ରାଣ ହରାଇବା ପରେ ମାର୍ଚ ୨୦୧୯ରେ ଭାରତ ସମେତ ସମଗ୍ର ବିଶ୍ବରେ ‘ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ୍’ ବିମାନ ଉଡ଼ାଣ ନିଷେଧ କରାଯାଇଥିଲା। ଏହାର ନିର୍ମାତା ଆବଶ୍ୟକ ପ୍ରତିକାର କରିବା ପରେ ୨୦୨୦ ଡିସେମ୍ବରରେ ଏହି ବିମାନ ଉଡ଼ାଣ ଉପରୁ ନିଷେଧାଜ୍ଞା ହଟା ଯାଇଥିଲା।

୨୦୨୧ ଅଗଷ୍ଟରେ ଭାରତରେ ‘ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ୍‌’ ବିମାନ ପୁନଃଉଡ଼ାଣ ପାଇଁ ଅନୁମତି ମିଳିଥିଲା। ଭାରତରେ କେବଳ ‘ସ୍ପାଇସ୍‌ଜେଟ୍‌’ର ‘ବି୭୩୭ ମ୍ୟାକ୍ସ୍’ ବିମାନ ଅଛି।

ଘଟଣାକୁ ସୁନିଶ୍ଚିତ କରି ‘ସ୍ପାଇସ୍‌ଜେଟ୍‌’ର ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି, ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ୍‌ରେ ତାଲିମ ନେଇଥିବା ୬୫୦ଜଣ ପାଇଲଟ୍‌ ‘ସ୍ପାଇସ୍‌ଜେଟ୍‌’ର ଅଛନ୍ତି। ‘ଡିଜିସିଏ’ ୯୦ ଜଣ ପାଇଲଟ୍‌ଙ୍କ ‌‘ଟେନିଙ୍ଗ୍‌ ପ୍ରୋଫାଇଲ୍‌’କୁ ଲକ୍ଷ୍ୟ କରିଛି। ‘ଡିଜିସିଏ’ଙ୍କ ପରାମର୍ଶକ୍ରମେ ସେ ୯୦ଜଣ ପାଇଲଟ୍‌ଙ୍କୁ ଉକ୍ତ ବିମାନ ଚଳାଇବାରୁ ନିବୃତ କରାଯାଇଛି।

ସମ୍ବନ୍ଧିତ ଖବର