ବିଜେପିର କର୍ଣ୍ଣାଟକ ପ୍ରଭାରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ: ତାମିଲନାଡ଼ୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ ହେଲେ ସହ-ପ୍ରଭାରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ କର୍ଣ୍ଣାଟକ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଆସନ୍ତା ମେ ୨୦୨୩ରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାଙ୍କୁ ଦାୟିତ୍ବ ଅର୍ପଣ କରାଯାଇଛି। ସେହିପରି ବିଜେପିର ତାମିଲନାଡ଼ୁ ପ୍ରଦେଶ ସଭାପତି କେ ଆନ୍ନାମଲାଇଙ୍କୁ ସହପ୍ରଭାରୀ ଦାୟିତ୍ବ ଅର୍ପଣ କରାଯାଇଛି। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକରେ କ୍ଷମତା ପୁନର୍ଦଖଲ କରିବା ପାଇଁ ବିଜେପିକୁ ଲଢ଼େଇ କରିବାକୁ ପଡ଼ିବ। କଂଗ୍ରେସ ମଧ୍ୟ ନିକଟରେ ଶେଷ ହୋଇଥିବା ‘ଭାରତ ଯୋଡ଼ୋ ଯାତ୍ରା’ରୁ ହାସଲ କରିଥିବା ଲୋକପ୍ରିୟତାକୁ ଆଧାର କରି ରାଜ୍ୟରେ କ୍ଷମତାକୁ ଆସିବାକୁ ସଂଘର୍ଷ କରିବ। ରାଜନୀତି ବିଶ୍ଳେଷକମାନଙ୍କ କହିବା ଅନୁସାରେ, ୨୨୪ରୁ ୧୫୦ଟି ଆସନ ହାସଲ କରିବାକୁ ବିଜେପି ଲକ୍ଷ୍ୟ ରଖିଛି। ନିର୍ବାଚନ ପୂର୍ବରୁ ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ସହ କୌଣସି ମେଣ୍ଟ ହେବ ନାହିଁ ବୋଲି ଦଳ ସ୍ପଷ୍ଟ କରିଦେଇଛି।

କେନ୍ଦ୍ରମନ୍ତ୍ରୀ ପ୍ରଧାନ ପୂର୍ବରୁ ସଫଳତାର ସହ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ବ ବହନ କରି ଦଳକୁ ଜିତାଇବାରେ ସାହାଯ୍ୟ କରିଛନ୍ତି, ଯେତେବେ‌ଳେ କି ରାଜ୍ୟରେ ଦଳୀୟ ଅନ୍ତର୍କନ୍ଦଳ ନେତୃତ୍ବକୁ ଚିନ୍ତାରେ ପକାଇଦେଇଥିଲା। କେତେକ ବରିଷ୍ଠ ନେତା ବିଜେପି ଛାଡ଼ି ଅନ୍ୟ ‌ଦଳରେ ଯୋଗ ଦେଇଥିଲେ। ବର୍ତ୍ତମାନ କର୍ଣ୍ଣାଟକରେ କେତେକ ବିବାଦରେ ଦଳ ଛନ୍ଦିହୋଇ ପଡ଼ିଥିବା ବେଳେ ପ୍ରଧାନଙ୍କ ଦାୟିତ୍ବ ହେଉଛି ଏଥିରୁ ମୁକ୍ତ କରି ଦଳ ପାଇଁ ଏକ କର୍ଣ୍ଣାଟକ ଆଖ୍ୟାନ (ନ୍ୟାରେଟିଭ୍) ସୃଷ୍ଟି କରିବା। ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା, ହଲାଲ ଉତ୍ପାଦଗୁଡ଼ିକୁ ନିଷିଦ୍ଧ ଘୋଷଣା କରିବାର ଦାବି ଏବଂ ଉପାସନାସ୍ଥଳଗୁଡ଼ିକରେ ଡାକବାଜି ଯନ୍ତ୍ର ବ୍ୟବହାରକୁ ନେଇ କର୍ଣ୍ଣାଟକ ରାଜ୍ୟ ନିରବଚ୍ଛିନ୍ନଭାବେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଆସୁଛି। ଏ ପରିସ୍ଥିତିରେ କିଛି ସମ୍ପ୍ରଦାୟର ଭୋଟରେ ଧ୍ରୁବୀକରଣ ହେବା ଆଶଙ୍କା ରହିଛି। ଅନ୍ୟପକ୍ଷରେ ଆଣ୍ଟି-ଇନ୍‌କମ୍ବେନ୍ସି (ସ୍ବାଭାବିକ ଶାସକ ଦଳବିରୋଧୀ ଆବହାୱା) ବି ବଳବତ୍ତର ରହିଛି, ଯାହାକୁ ପ୍ରତିହତ କରିବା ପାଇଁ ୨୦୨୧ ମସିହା ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କୁ ହଟାଇ ତାଙ୍କ ସ୍ଥାନରେ ବିଏସ୍ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ବିଜେପି ରାଜ୍ୟରେ ଆଧିପତ୍ୟ ଥିବା ଲିଙ୍ଗାୟତ ସମ୍ପ୍ରଦାୟକୁ ଖୁସି କରିବା ପାଇଁ ସବୁବେଳେ ଚେଷ୍ଟା କରିଆସିଛି। ଭୋକାଲିଙ୍ଗା ଓ କୁର୍ବା ସମ୍ପ୍ରଦାୟକୁ ମଧ୍ୟ ହାତକୁ ଆଣିବାକୁ ବିଜେପି ଉଦ୍ୟମ କରୁଛି। ବିଶେଷତଃ ମହୀଶୂର ଅଞ୍ଚଳରେ ଏହି ସମ୍ପ୍ରଦାୟର ଆଧିପତ୍ୟ ରହିଛି।

୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ବିଜେପି ଏହି ରାଜ୍ୟରେ କ୍ଷମତାରେ ଥିଲା। ୨୦୧୮ରେ ଏହା ଏକକ ସଂଖ୍ୟାଗରିଷ୍ଠ ଦଳ ହେଲେ ମଧ୍ୟ କଂଗ୍ରେସ ଓ ଜେଡିଏସ୍ ମେଣ୍ଟ କରି ସରକାର ଗଢ଼ିଲେ। ପରେ ୨୦୧୯ରେ ସେମାନଙ୍କ ଭିତରେ ଫାଟ ସୃ‌ଷ୍ଟି ହୋଇଥିଲା ଏବଂ ୧୮ ଜଣ ବିଧାୟକଙ୍କ ଇସ୍ତଫା ପରେ ବିଜେପି ପୁଣି କ୍ଷମତାକୁ ଆସିଥିଲା। ଉତ୍ତରପ୍ରଦେଶରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ରାଜ୍ୟ ଓ କେନ୍ଦ୍ର ନେତୃତ୍ବ ଭିତରେ ସେତୁ ପରି କାର୍ଯ୍ୟ କରିଥିଲେ। ସେ ଜାତି ସନ୍ତୁଳନକୁ ରକ୍ଷାକରି ଠିକ୍ ସ୍ଥାନରୁ ଠିକ୍ ଲୋକଙ୍କୁ ପ୍ରାର୍ଥୀ କରାଇବା ଫଳରେ ରାଜ୍ୟରେ ଦଳର ବିପୁଳ ବିଜୟ ଘଟିଥିଲା। ଛତିଶଗଡ଼, ତ୍ରିପୁରା, ଝାଡ଼ଖଣ୍ଡ ଓ ତେଲେଙ୍ଗାନା ରାଜ୍ୟ କଥା ମଧ୍ୟ ପ୍ରଧାନ ଅତୀତରେ ବୁଝିଛନ୍ତ। ତେଣୁ କର୍ଣ୍ଣାଟକ ଏବେ ତାଙ୍କ ପାଇଁ ଏକ ଆହ୍ବାନ ହେଲେ ମଧ୍ୟ ସେ ସଫଳତାର ସହ ଏହି ଦାୟିତ୍ବ ତୁଲାଇପାରିବେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଉପରେ ଆସ୍ଥାପ୍ରକଟ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର