ତୈଳକୂପ ଅଗ୍ନିକାଣ୍ଡ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗୌହାଟୀ: ଆସାମର ବାଗଜାନରେ ହୋଇଥିବା ତୈଳକୂପ ଅଗ୍ନିକାଣ୍ଡ ଘଟଣାର ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲଙ୍କ ସହ ବାଗଜାନକୁ ଯାଇ ଗ୍ରାଉଣ୍ଡ୍‌ ଜିରୋରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ସହ ଶ୍ରୀ ପ୍ରଧାନ ପ୍ରଭାବିତଙ୍କୁ ଭେଟିବା ସହ ରିଲିଫ କାର୍ଯ୍ୟର ସମୀକ୍ଷା କରିଛନ୍ତି | ଘଟଣାସ୍ଥଳରେ ନିଆଁକୁ ନିୟନ୍ତ୍ରଣ କରିବା ତଥା ଅଧିକ କ୍ଷତି ନ ହେବା ପାଇଁ ବିଶେଷଜ୍ଞଙ୍କ ପକ୍ଷରୁ ପରିଚାଳନା କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି। ଆମର ଦଳ ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି।

ଲୋକଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏଠାରେ ସୂଚନା ଥାଉ କି ଆସାମ ତିନସୁକିଆ ଜିଲ୍ଲାର ବାଗଜାନରେ ତୈଳକୂପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ଏଠାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା | ଗ୍ୟାସ ପାଇପଲାଇନରେ କୌଣସି କାରଣରୁ ନିଆଁ ଲାଗିବା ପରେ କ୍ରମଶଃ ଏହାର ସ୍ଥାନୀୟ ଅଂଚଳରେ ବ୍ୟାପିବାରେ ଲାଗିଛି ।

ନିଆଁକୁ ଆୟତ କରିବାକୁ ଏନଡିଆରଏଫ ଟିମ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଟିମ୍ ଉଦ୍ୟମ ଜାରି ରଖିଛି । ଏହି ଗ୍ୟାସ ଅଗ୍ନିକାଣ୍ଡ କାରଣରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ନିଆଁ ଏତେ ଭୟଙ୍କର ଯେ ଅଗ୍ନିକାଣ୍ଡ ତୁରନ୍ତ ଲିଭେଇବା ସମ୍ଭବ ପର ହେଉନାହିଁ । ଫଳରେ ସେଠାକାର ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ବର୍ତ୍ତମାନ ସୁଦ୍ଧା ୭ ହଜାର ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି |

ସମ୍ବନ୍ଧିତ ଖବର