ଅଜବ ଚୋର: ଘର ମାଲିକଙ୍କୁ ମୁଣ୍ଡିଆ ମାରିଲେ, ୬ ମାସ ପରେ ଟଙ୍କା ଫେରାଇବାର ପ୍ରତିଶୃତି ଦେଇ ଲୁଟିଲେ

ଗାଜିଆବାଦ: ଘରୁ ସବୁ ସୁନାଗହଣା ଲୁଟିଲେ ଆଉ ଯିବାବେଳେ ଘର ମାଲିକଙ୍କୁ ମୁଣ୍ଡିଆ ମାରିଲେ | ୬ ମାସ ପରେ ଲୁଟିଥିବା ଟଙ୍କା ଓ ସୁନାଗହଣା ଫେରାଇବାର ପ୍ରତିଶୃତି ମଧ୍ୟ ଦେଲେ | ଗାଜିଆବାଦ ରାଜନଗରରେ ଏଭଳି ଏକ ଅଜବ ଲୁଟ ହୋଇଛି | ଜଣେ ବୃଦ୍ଧ ବ୍ୟବସାୟୀ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଧକ ରଖି ଲୁଟିବାର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ସୂଚନା ମୁତାବକ ବୃଦ୍ଧ ଦମ୍ପତି ସୁରେନ୍ଦ୍ର ବର୍ମା ଏବଂ ତାଙ୍କ ପତ୍ନୀ ଅରୁଣା ବର୍ମା ରାଜନଗର ସେକ୍ଟର -୯ରେ ରୁହନ୍ତି |

ସୁରେନ୍ଦ୍ର ବର୍ମାଙ୍କର ତିନି ଜଣ ବିବାହିତ ଝିଅ ବିଦେଶରେ ରୁହନ୍ତି। ସୋମବାର ରାତି ପ୍ରାୟ ୩.୩୦ ସମୟରେ ଚାରିଜଣ ସଶସ୍ତ୍ର ଲୁଟେରା ଗ୍ୟାସ୍ କଟର ସାହାଯ୍ୟରେ ଲୁହା ଗେଟ୍ କାଟି ଘରେ ପ୍ରବେଶ କରିଥିଲେ। ଜଣେ ଲୁଟେରାଙ୍କ ହାତରେ ପିସ୍ତଲ ଥିଲା ଏବଂ ତିନି ଲୁଟେରାଙ୍କ ହାତରେ ଛୁରୀ ଥିଲା | ଏହି ଦମ୍ପତିଙ୍କୁ ବନ୍ଧକ ରଖି ଲୁଟେରାମାନେ ଦେଢ଼ ଲକ୍ଷ ଟଙ୍କା ଏବଂ ଚାରି ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିଲେ।

ଏହା ପରେ ଲୁଟେରାମାନେ ବୃଦ୍ଧ ଦମ୍ପତିଙ୍କୁ ମୁଣ୍ଡିଆ ମାରିଥିଲେ ଓ ଦକ୍ଷିଣା ସ୍ୱରୂପ ୫୦୦ ଟଙ୍କା ଦେଇ ଭୁଲ ସ୍ୱୀକାର କରିଥିଲେ | ଲୁଟିଥିବା ଟଙ୍କା ଆଗାମୀ ୬ ମାସ ପରେ ଫେରାଇବାର ପ୍ରତିଶୃତି ଦେଇ ଘରୁ ଚମ୍ପଟ ମାରିଥିଲେ | ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି |

ସମ୍ବନ୍ଧିତ ଖବର