କର୍ଣ୍ଣାଟକ ବିଜେପିରେ ଅସନ୍ତୋଷ ‘ହାଇକମାଣ୍ଡ୍‌ ଚାହିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବି’

ବିଧାୟକଙ୍କ ଅସନ୍ତୋଷ କେନ୍ଦ୍ରୀୟ ନେତୃତ୍ବର ଚିନ୍ତା ବଢ଼ାଉଛି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ଗତ କିଛିଦିନ ହେଲା ଲାଗି ରହିଥିବା ବେଳେ ରାଜ୍ୟ ବିଜେପିରେ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପାଙ୍କ ବିରୋଧରେ ବଢ଼ୁଥିବା ଅସନ୍ତୋଷ ଦଳର ଚିନ୍ତା ବଢ଼ାଇଛି। ଆଜି ଏହି ପ୍ରସଙ୍ଗରେ ନିଜେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଛନ୍ତି। ଯେଦୁରପ୍ପା ତାଙ୍କ ବିବୃତିରେ କହିଛନ୍ତି ଯେତେଦିନ ପର୍ଯ୍ୟନ୍ତ ହାଇକମାଣ୍ଡଙ୍କ ଆସ୍ଥା ତାଙ୍କ ଉପରେ ରହିଛି ସେତେ‌ଦିନ ପର୍ଯ୍ୟନ୍ତ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହିବେ। ତେବେ ଯେଉଁଦିନ ତାଙ୍କୁ କୁହାଯିବ ମୁଖ୍ୟମନ୍ତ୍ରୀ ପଦରୁ ଓହରି ଯିବା ପାଇଁ ସେହିଦିନ ସେ ଇସ୍ତଫା ଦେଇ ‌ଦଳ ପାଇଁ ଦିନରାତି କାମ କରିବେ। ଏ ନେଇ ସେ କୌଣସି ପ୍ରକାର ଦ୍ବନ୍ଦ୍ବରେ ନାହାନ୍ତି। ତେବେ ହାଇକମାଣ୍ଡ ତାଙ୍କୁ ଦାୟିତ୍ବ ଦେଇଛନ୍ତି।

ସୁଯୋଗକୁ ଭଲରେ ପରିଣତ କରିବା ପାଇଁ ସେ ପାରୁ ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି। ଅବଶିଷ୍ଟ କଥା ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି। ୭୮ ବର୍ଷୀୟ ବିଜେପି ନେତା ୟେଦୁରପ୍ପା ସମ୍ଭବତଃ ପ୍ରଥମ ଥର ପାଇଁ ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ହେଉଥିବା କଳ୍ପନାଜଳ୍ପନା ଉପରେ ବିସ୍ତୃତ ପ୍ରତିକ୍ରିୟା ରଖିଛନ୍ତି। ସେହିଭଳି ରାଜ୍ୟ ବିଜେପିରେ ତାଙ୍କୁ ବଦଳାଇବା ପାଇଁ ବିକଳ୍ପ‌ ନେତା ଯେ ନାହାନ୍ତି ସେ କଥାରେ ୟେଦୁରପ୍ପା ସହମତ ହୋଇନାହାନ୍ତି।

ନିକଟରେ କର୍ଣ୍ଣାଟକର ପର୍ଯ୍ୟଟନ ମନ୍ତ୍ରୀ ସି ପି ଯୋଗେଶ୍ବର ଓ ହୁବୁଲି-ଧରୱା‌ଡ ବିଧାୟକ ଅରବିନ୍ଦ ବେଲାଡ୍‌ ୟେଦୁରପ୍ପାଙ୍କୁ ‌ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ନେତାଙ୍କୁ ଭେଟିବାକୁ ଯାଇଥିବା କୁହାଯାଉଛି। କିଛି ବିଧାୟକ ୟେଦୁରପ୍ପାଙ୍କ କାର୍ଯ୍ୟଶୈଳୀକୁ ପସନ୍ଦ କରୁନାହାନ୍ତି ବୋଲି ସେମାନେ ଖୋଲାଖୋଲି ବୟାନ ଦେଇଥିଲେ।। ଏପରିକି ନେତୃତ୍ବ ପରିବର୍ତ୍ତନ ପାଇଁ କିଛି ଅସନ୍ତୁଷ୍ଟ ବିଧାୟକ ମଧ୍ୟ ବିଧାୟକ ଦଳ ବୈଠକ ଡାକିବା ପାଇଁ ଚାପ ପକାଉଥିଲେ। ଏଭଳି ବିଧାୟକଙ୍କ ସଂଖ୍ୟା ଏବେ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର