ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ତୀବ୍ରତର: ଶିବସେନାର ୪୦ ବିଦ୍ରୋହୀ ବିଧାୟକଙ୍କୁ ଧରି ଗୌହାଟୀରେ ପହଞ୍ଚିଲେ ଏକନାଥ ସିନ୍ଦେ

ନୂଆଦିଲ୍ଲୀ: ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଶିବସେନାର ୪୦ଜଣ ବିଦ୍ରୋହୀ ବିଧାୟକ ଗତ ପାହାନ୍ତାରେ ଗୁଜରାଟର ସୁରତସ୍ଥିତ ହୋଟେଲ୍‌ରୁ ବାହାରି ବିମାନ ଯୋଗେ ଆସାମର ଗୌହାଟୀ ଅଭିମୁଖେ ଯାତ୍ରା କରିଛନ୍ତି।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ ଅନୁସାରେ, ସୁରତସ୍ଥିତ ‘ଲି ମେରିଡିଏନ୍‌ ହୋଟେଲ୍‌’ରେ ରହୁଥିବା ପ୍ରାୟ ୭ଜଣ ସ୍ବାଧୀନ ବିଧାୟକ ମଧ୍ୟ ସିନ୍ଦେଙ୍କ ସହିତ ଗ‌ୌହାଟୀରେ ପହଞ୍ଚିଛନ୍ତି।

Image Courtesy of Times of India

ପ୍ରାପ୍ତ ସୂଚନା ଅନୁସାରେ, ବିଦ୍ରୋହୀ ବିଧାୟକମାନଙ୍କୁ ପାହାନ୍ତା ସମୟରେ ବିଳାସମୟ ବସ୍‌ରେ ବସାଇ ବିମାନ ବନ୍ଦରକୁ ନିଆଯାଇଥିଲା। ସେଠାରୁ ସେମାନେ ଅନ୍ୟତମ ବିଜେପି ଶାସିତ ରାଜ୍ୟ ଆସାମ ଅଭିମୁଖେ ବିମାନ ଯାତ୍ରା କରିଥିଲେ।

ସୁରତ ବିମାନ ବନ୍ଦରରେ ଏକନାଥ ସିନ୍ଦେ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେ ବାଲାସାବେହ ଠାକ୍‌ରେଙ୍କ ଶିବସେନା ପରିତ୍ୟାଗ କରିନାହୁଁ, କି କରିବୁ ନାହିଁ। ଆମେ ବାଲାସାହେବଙ୍କ ହିନ୍ଦୁତ୍ବ ମାନି ଚଳୁଛୁ ଏବଂ ଏହି ଧାରାକୁ ଅଗ୍ରସର କରାଇବୁ।

ହୋଟେଲ୍‌ରେ ବିଦ୍ରୋହୀମାନଙ୍କ ସହିତ ଆଲୋଚନା କରିବା ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶିବସେନା ନେତା ମିଲିନ୍ଦ ନରୱେକର୍‌ ଏବଂ ରବୀନ୍ଦ୍ର ପାଠକଙ୍କୁ ପଠାଇବାର କିଛି ସମୟ ପରେ ଉପରୋକ୍ତ ବିଦ୍ରୋହୀ ବିଧାୟକମାନଙ୍କୁ ଗ‌ୌହାଟୀ ନିଆଯାଇଛି।

ମହାରାଷ୍ଟ୍ରରେ ‘ମହା ବିକାଶ ଅଘାଡ଼ି’ ସରକାର ଗଠନ କରିବା ନିମନ୍ତେ ଶିବସେନା ‘କଂଗ୍ରେସ’ ଏବଂ ‘ଏନ୍‌ସିପି’ର ସହଯୋଗ ଲୋଡୁଥିବାରୁ ମଙ୍ଗଳବାର ଦିନ ସିନ୍ଦେ ଶିବସେନାକୁ ପରୋକ୍ଷ ଭାବେ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର