୧୯ ରାଜ୍ୟସଭା ଆସନରେ ନିର୍ବାଚନ: ମଧ୍ୟ‌ପ୍ରଦେଶରୁ ଜ୍ୟୋତିରାଦିତ୍ୟ, ଦିଗବିଜୟ ବିଜୟୀ

ଝାଡ଼ଖଣ୍ଡରୁ ଶିବୁ ସୋରେନ ଜିତିଲେ, ଆନ୍ଧ୍ର ପ୍ରଦେଶର ୪ଟି ଆସନରେ ଜିତିଲା ୱାଇଏସଆର କଂଗ୍ରେସ

ନୂଆଦିଲ୍ଲୀ: ଦେଶର ୮ଟି ରାଜ୍ୟରେ ଆଜି ୧୯ଟି ରାଜ୍ୟସଭା ଆସନା ପାଇଁ ନିର୍ବାଚନ ‌ଅନୁଷ୍ଠିତ ହୋଇଯାଇଛି। ୧୯ଟି ଆସନ ମଧ୍ୟରୁ ଆନ୍ଧ୍ର ପ୍ରଦେଶରେ ୱାଏସ୍ଆର୍‌ କଂଗ୍ରେସ ପାର୍ଟି ୪ଟି ଆସନ ପୋଛି ନେଇଛି। ମଧ୍ୟ ପ୍ରଦେଶରେ ୨ଟି ଆସନ ବିଜେପି ଖାତାକୁ ଯାଇଥିବାବେଳେ କଂଗ୍ରେସକୁ ଗୋଟିଏ ଆସନ ମିଳିଛି। ରାଜସ୍ଥାନରେ କଂଗ୍ରେସ ୨ଟି ଆସନରେ ଜିତିଥିବାବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି। ମଧ୍ୟପ୍ରଦେଶରେ ବିଜେପି ପକ୍ଷରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁମେର ସିଂହ ସୋଲାଙ୍କି ଜିତିଥିବାବେଳେ କଂଗ୍ରେସ ପକ୍ଷରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ବିଜୟୀ ହୋଇଛନ୍ତି। ସେହିଭଳି ରାଜସ୍ଥାନରେ କଂଗ୍ରେସର କେ ସି ବେଣୁଗୋପାଳ ଓ ନିରଜ ଡାଙ୍ଗି ବିଜୟୀ ହୋଇଥିବାବେଳେ ବିଜେପିର ରାଜେନ୍ଦ୍ର ଗେହଲଟ ବିଜୟୀ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶରେ ବିଜୟୀ ହୋଇଥିବା ୱାଇଏସ୍ଆର୍ କଂଗ୍ରେସର ୪ ଜଣ ନେତା ହେଲେ ପିଲ୍ଲି ସୁଭାଷ ଚନ୍ଦ୍ର ବୋଷ, ମୋପିଡେଭି ଭେଙ୍କଟ ରମନା, ଆଲ୍ଲା ଅଯୋଧ୍ୟାରାମି ରେଡ୍ଡି ଓ ପରିମଳ ନଟୱାନି। ମେଘାଳୟରେ ନ୍ୟାସନାଲ ପିପୁଲ୍ସ ପାର୍ଟିର ପ୍ରାର୍ଥୀ ୱାଇ ଆର୍ ଖରଲୁଖି ବିଜୟୀ ହୋଇଛନ୍ତି। ଝାଡ଼ଖଣ୍ଡରେ ଦୁଇଟି ଆସନ ମଧ୍ୟରୁ ଗୋଟିଏ ଆସନରେ ଜେଏମଏମର ଶିବୁ ସୋରେନ୍ ବିଜୟୀ ହୋଇଥିବା ବେଳେ ଅନ୍ୟଟିରେ ବିଜେପି ପ୍ରାର୍ଥୀ ଦୀପକ ପ୍ରସାଦ ବିଜୟୀ ହୋଇଛନ୍ତି। ମଣିପୁରରେ ବିଜେପି ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

ତେବେ ଗୁଜରାଟର ଫଳାଫଳ ଆସିବା ବିଳମ୍ବ ହୋଇଛି। ଦୁଇ ଜଣଙ୍କ ଭୋଟକୁ ନାକଚ କରିବା ପାଇଁ କଂଗ୍ରେସ ନିର୍ବାଚନ କମିସନଙ୍କ ନିକଟରେ ଦାବି କରିଛି। ସେମାନେ ହେଲେ ବିଜେପି ଏମଏଲଏ କେଶରୀସିନ ସୋଲାଙ୍କି ଓ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୁଡ଼ାସମା। କଂଗ୍ରେସର ଏହି ଦାବିକୁ ପ୍ରଥମେ ନିର୍ବାଚନ କମିସନଙ୍କ ପର୍ଯ୍ୟବେକ୍ଷକ ଅଗ୍ରାହ୍ୟ କରିଦେଇଥିଲେ ଉକ୍ତ ମାମଲାକୁ ନିର୍ବାଚନ କମିସନଙ୍କ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ପଠାଇ ଦେଇଛନ୍ତି। ଆନ୍ଧ୍ର ପ୍ରଦେଶ ଓ ଗୁଜରାଟର ୪ଟି ଲେଖାଏଁ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ୩ଟି ଲେଖାଏଁ, ଝାଡ଼ଖଣ୍ଡର ୨ଟି, ମଣିପୁର, ମିଜୋରାମ ଓ ମେଘାଳୟର ଗୋଟିଏ ଲେଖାଏଁ ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା।

ସମ୍ବନ୍ଧିତ ଖବର