ମାଷ୍ଟର୍‌ ସେଫ୍‌-୬ ପ୍ରତିଯୋଗିତାର ବିଜୟୀ ହେଲେ ଅବିନାଶ, କୋଲକାତା ଝିଅ ଓଣ୍ଡ୍ରିଲା ହେଲେ ରନର୍ସଅପ୍‌

ଭୁବନେଶ୍ବର: ମ‌ନୋରଞ୍ଜନ ଚା‌ନେଲ୍ ‘ଷ୍ଟାର୍‌ ପ୍ଲସ୍‌’ରେ  ପ୍ରସାରିତ ହେଉଥିବା ରିୟଲିଟି କୁକ୍ ସୋ’ ‘ମାଷ୍ଟର୍‌ ସେଫ୍’ର ସିଜିନ୍‌-୬ର ଫାଇନାଲ୍‌ ରାଉଣ୍ଡ୍‌ରେ ବିଜୟୀ ହୋଇଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ। ୨୦ ଏପିସୋଡ୍‌ର ଏହି ସିରିଜ୍‌ର ଫାଇନାଲ୍‌ ରାଉଣ୍ଡ୍‌ରେ ପହଞ୍ଚିଥିଲେ ୨୭ ବର୍ଷିଅ ଅବିନାଶଙ୍କ ସହ କୋଲକାତାର ୩୫ ବର୍ଷୀୟା ଝିଅ ଓଣ୍ଡ୍ରିଲା। ଅବିନାଶ ତାଙ୍କ ପ୍ରତିଦ୍ବନ୍ଦୀଙ୍କୁ ହରାଇ ଏହି ସୋ’ ଜିତିଛନ୍ତି। ଯଦିଓ ତାଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ, ଗଣମାଧ୍ୟମ ସଂସ୍ଥା ‘ମୁମ୍ବାଇଲାଇଭ୍‌’ର ସୂଚନା ଅନୁଯାୟୀ ପୁରସ୍କାର ରାଶି ବାବଦରେ ତାଙ୍କୁ ୨୦ ଲକ୍ଷ ଟଙ୍କା ଦିଆଯାଇଛି। ଏହା ସହ ଅବିନାଶଙ୍କୁ ଏକ ‘ଗୋଲ୍ଡେନ୍‌ ଆପ୍ରୋନ୍‌’ ବି ମିଳିଛି। ତାଙ୍କ ପ୍ରତିଦ୍ବନ୍ଦ୍ବୀ ‌ଓଣ୍ଡ୍ରିଲାଙ୍କୁ ରନ୍‌ର୍ସଅପ୍ ଘୋଷଣା କରାଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅନେକ ରୋଷେଇ ପ୍ରତିଯୋଗିତାରେ ଭାଗ ନେଇଥିବା ସଫଳ ହୋଇଥିବା ଓଡ଼ିଆ ପୁଅ ଅବିନାଶ ନାୟକ ଶେଷରେ ଜାତୀୟ ଟେଲିଭିଜନ ସଂସ୍ଥା ‘ଷ୍ଟାର୍‌ ପ୍ଲସ୍‌’ରେ ଦେଉଥିବା ‘ମାଷ୍ଟର୍‌ ସେଫ୍’ କାର୍ଯ୍ୟକ୍ରମରେ ଡିସେମ୍ବର ମାସରେ ଯୋଗ ଦେଇଥିଲେ। ଇନ୍‌ଫୋସିସ୍‌ରେ ଇଞ୍ଜିନିୟର ଭାବେ ଚାକିରି କରିଥିବା ଅବିନାଶ ପ୍ରତିଯୋଗିତାରେ ଭାଗ ନେଇ ‘ଚିକେନ୍‌‌ ବେସର’ କରି ଉପସ୍ଥିତ ୩ ଜଣ ବିଚାରପତିଙ୍କୁ ତାଙ୍କ ସ୍ବାଦ ଚଖାଇ ଚକିତ କରାଇବା ସହ ମାଷ୍ଟର୍‌ ସେଫ୍-୬ର ଅଡିସନ୍‌ ରାଉଣ୍ଡ୍‌ରେ ମନୋନୀତ ହୋଇଥିଲେ। ବିଚାରପତିମାନେ ଅବିନାଶଙ୍କ ଖାଦ୍ୟର ସ୍ବାଦ ଜାଣିବା ପରେ ତାଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ।

ପାରମ୍ପରିକ ରନ୍ଧଣା ଶୈଳୀରେ ଆଧୁନିକ ଛୁଙ୍କ ଦେଇଥିବା ଅବିନାଶଙ୍କ ‘ଡିସ୍‌’ ଖାଇବା ପରେ ସେଫ୍‌ ବିକାଶ କହିଥିଲେ, ‘ଜୟ ହୋ ଓଡ଼ିଶା’। ଆଶା ରହିଥିଲା ଯେ ଆସନ୍ତା ରାଉଣ୍ଡ୍‌ମାନଙ୍କରେ ବି ଅବିନାଶ ତାଙ୍କ ହାତରନ୍ଧାର ଯାଦୁ ଜାରି ରଖିବେ। ଏହି ଲୋକପ୍ରିୟ ରାନ୍ଧଣା ପ୍ରତିଯୋଗିତାରେ ମନୋନୀତ ହେବାରେ ଅବିନାଶ ଓଡ଼ିଶାରୁ ପ୍ରଥମ। ତାଙ୍କ ଘର ଗଞ୍ଜାମର ଆସ୍କାଠାରେ। ପୂର୍ବରୁ ସେ ଲୋକିକୁକ୍‌ସ ଫେଲୋସିପ୍‌ ୨୦୧୯ ପାଇଥିବା ବେଳେ ଗତବର୍ଷ ହଲଦିରାମ ପକ୍ଷରୁ ହୋଇଥିବା ଏକ ରାନ୍ଧଣା ପ୍ରତିଯୋଗିତାରେ ଶୀର୍ଷ ୧୫ ଜଣଙ୍କ ମଧ୍ୟରେ ରହିଥିଲେ। ଅବିନାଶ ସେବେଠାରୁ ଅନେକ ସୋପାନ ଅତିକ୍ରମ କରି ଶେଷ‌ରେ ବିଜୟ ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର