କାବୁଲ ବିମାନବନ୍ଦରରୁ ଆସିଲା ଅଭାବନୀୟ ଚିତ୍ର: ଜୀବନ ବଞ୍ଚାଇବା ପାଇଁ ନିଜଠୁ ପିଲାଙ୍କୁ ଅଲଗା କରୁଛନ୍ତି ମାତାପିତା

ନୂଆଦିଲ୍ଲୀ: କାବୁଲର ଭୟାବହ ସ୍ଥିତି ଭିତରେ ସାମ୍ନାକୁ ଆସିଛି ଛାତିଥରା ଦୃଶ୍ୟ । ନିଜ ଜୀବନର ଭରସା ନଥିବା ବେଳେ ପିଲାଙ୍କୁ ବଞ୍ଚାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବାପା ମାଆ । କେତେବେଳେ କ’ଣ ହେବ, କିଏ ତାଲିବାନ ହାବୁଡରେ ପଡିଯିବ କିଛି ଜଣାନାହିଁ । ନିଜ ଜୀବନ ପଛେ ଚାଲିଯାଉ, ହେଲେ ପିଲାର ଜୀବନ ସୁରକ୍ଷିତ ରହୁ । ଏହି ଆଶାରେ ପିଲାଙ୍କୁ ଦୂରେଇବାକୁ ବାଧ୍ୟ ହେଉଛନ୍ତି ବାପା ମାଆ ।

କଅଁଳ ଶିଶୁକୁ ଅନ୍ୟ ହାତକୁ ଟେକି ଦେଉଛନ୍ତି ଆଫଗାନବାସୀ । ଜାଣିନାହାନ୍ତି ତାଙ୍କ ପିଲା କେଉଁଠି ରହିବ, କାହା ପାଖରେ ରହିବ, ହେଲେ ଆଶା ତାଙ୍କ ପିଲା କାବୁଲ ଆକାଶରୁ ଉଡିଗଲା ପରେ ସୁରକ୍ଷିତ ରହିବ । କାବୁଲ ବିିମାନବନ୍ଦରରୁ ଆସିଥିବା ଏହି ଚିତ୍ର ଏପରି କିଛି ବୟାନ କରୁଛି । ବିମାନବନ୍ଦରର ପାଚେରୀ ଆରପଟେ ଉଡାଣ ଅପେକ୍ଷାରେ ରହିଛି ବିମାନ । ଆଉ ଏପଟେ ପିଲା ଛୁଆଁଙ୍କୁ ଧରି ଭିଡ ଜମାଇଛନ୍ତି ହଜାର ହଜାର  ଲୋକ । ଏହାରି ଭିତରେ ନିଜର ଶିଶୁକୁ ତାରବାଡ ପାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ମାତାପିତା। ଯଦି କେହି ବିମାନବନ୍ଦରରୁ ଶିଶୁଟିକୁ ନେଇଯିବ ଏବଂ ପିଲାଟି ବିମାନରେ ଅନ୍ୟ କେଉଁ ଦେଶକୁ ଚାଲିଯିବଳ ତେବେ ହୁଏତ ତା ଜୀବନ ବଞ୍ଚିଯିବ।

ତାଲିବାନ କାବୁଲ କବଜା କରିବା ପରେ ଆଫଗାନିସ୍ତାନ ଛାଡି ଅନ୍ୟ ଦେଶକୁ ଚାଲିଯାଉଛନ୍ତି ଲୋକେ । ଏହାର ଭିତରେ ଆମେରିକା ତା’ର ସେନାକୁ ଫେରାଇ ନେଉଛି । ସେନାକୁ ନେବା ପାଇଁ ବିମାନ ବନ୍ଦରରେ ପହଞ୍ଚୁଛି ଗୋଟିଏ ପରେ ଗୋଟିଏ ବିମାନ । ଜୀବନ ବଞ୍ଚାଇ ସେହି ବିମାନରେ ଦେଶ ଛାଡି ପଳାଇ ଯିବାକୁ ଚେଷ୍ଟା କରୁଛନ୍ତି ଆଫଗାନବାସୀ । ଆଉ ଏ ହେଉଛି ସେହି ସମୟର ଦୃଶ୍ୟ । ବିମାନରେ ଯିବା ପାଇଁ କାବୁଲ୍ ଏୟାରପୋର୍ଟ ବାହାରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର