ବିସ୍ଫୋରକ ହେଉଛି ପଶ୍ଚିମବଙ୍ଗ ରାଜନୀତି

ମହମ୍ମଦ ହିଫ୍‌ଜୁର ‌ରହେମାନ୍

ଆଉ କିଛି ମାସ ଭିତରେ ହେବାକୁ ଯାଉଛି ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ। କିନ୍ତୁ ପରିସ୍ଥିତି ଏବେଠାରୁ ବିସ୍ଫୋରକ ହେବାକୁ ଲାଗିଲାଣି। ନିର୍ବାଚନ ରଣକ୍ଷେତ୍ରରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ଶକ୍ତିଶାଳୀ ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜ। ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଦୁଇ ଦଳ ପକ୍ଷରୁ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି। ସଭା ‌େହଉଛି, ଶୋଭାଯାତ୍ରା ବି ହେଉଛି। ଶକ୍ତି ପ୍ରଦର୍ଶନ ଜୋରଦାର ହେଲାଣି।

ଗତ ୧୦ ବର୍ଷ ଧରି ରାଜ୍ୟ ଶାସନରେ ରହିଛନ୍ତି ମମତା। ମୋଦୀ ମଧ୍ୟ ୬ ବର୍ଷ ହେବ ପ୍ରଧାନମନ୍ତ୍ରୀ ଅଛନ୍ତି। ପଶ୍ଚିମ ବଙ୍ଗକୁ ଜିତିବା ଲାଗି ସେମାନଙ୍କ ମଧ୍ୟରେ ହେବ କଡ଼ା ଟକ୍କର। ଗତ ବିଧାନସଭା ନିର୍ବାଚନରେ ମମତାଙ୍କୁ ଏକତରଫା ବିଜୟ ମିଳିଥିବା ବେଳେ ବିଜେପିକୁ ମିଳିଥିଲା ମାତ୍ର ୬ଟି ଆସନ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନ ପରେ ଚିତ୍ର ବଦଳିଯାଇଛି। କାରଣ ନିର୍ବାଚନରେ ଏହି ପାର୍ଟିକୁ ମିଳିଥିଲା ୪୨ ଆସନ ମଧ୍ୟରୁ ୧୮ଟି। ଏହି ସଫଳତା ଯୋଗୁଁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି। ଏହାକୁ ଆଧାର କରି କ୍ଷମତା ହାସଲ କରିବାକୁ ବିଜେପି ଏହାର ସମସ୍ତ ଶକ୍ତି ଖଟାଇବା ଲାଗି ପ୍ରସ୍ତୁତିକୁ ଜୋରଦାର କରିଛି। ମମତା ମଧ୍ୟ ଚୁପ୍ ବସି ନାହାନ୍ତି। ସେ ମଧ୍ୟ ଆକ୍ରମଣ ଭଙ୍ଗିରେ ପ୍ରସ୍ତୁତି ଚଳାଇଛନ୍ତି। ଫଳରେ ରାଜ୍ୟରେ ଏବେ ଠ‌ାରୁ ଉତ୍ତେଜନା ଏବଂ ବିସ୍ଫୋରକ ପରିସ୍ଥିତିି ସୃଷ୍ଟି ହେଲାଣି।

ନିର୍ବାଚନ ଜିତିବା ହେଉଛି ‌େଯକୌଣସି ଦଳର ଲକ୍ଷ୍ୟ। ମାତ୍ର ଏହି ଲକ୍ଷ୍ୟ ହାସଲ କରିବା ଲାଗି ରାଜ୍ୟରେ ଏକ ବିପଜ୍ଜନକ ଖେଳ ଆରମ୍ଭ ହୋଇଯାଇଛି। ତାହା ହେଲା ସାଂପ୍ରଦାୟିକତାର ଖେଳ। ବିକାଶ ଅପେକ୍ଷା ସଂଖ୍ୟାଲଘୁ ତୁଷ୍ଟୀକରଣ, ଏନସିଆର ଏବଂ ସିଏଏକୁ ପ୍ରସଙ୍ଗ କରାଯାଉଛି। ନିଅାଁର ଏହି ଖେଳରେ ଡେଇଁଛି ଅସଦୁଦ୍ଦିନ ଅୱେସିଙ୍କ ଇତ୍ତେହାଦୁଲ ମୁସଲେମିନ। ଗତ ବିହାର ବିଧାନସଭା ନିର୍ବାଚନରେ ୫ଟି ଆସନ ହାସଲ କରିବା ପରେ ଅୱେସି ଉତ୍ସାହିତ ହୋଇପଡ଼ିଛନ୍ତି। ‌ମୁସଲିମ ଭୋଟକୁ ଟାର୍ଗେଟ୍ କରି ସେ ଗୋଟି ଚାଳନା ଆରମ୍ଭ କରିଛନ୍ତି।

ପଶ୍ଚିମ ବଙ୍ଗ ହେଉଛି ଦେଶର ଏମିତି ଏକ ରାଜ୍ୟ ଯେଉଁଠାରେ ମୁସଲିମ ଜନସଂଖ୍ୟା ହେଉଛି ୩୦ ପ୍ରତିଶତ। ରାଜ୍ୟ ବିଧାନସଭାର ୨୯୪ଟି ଆସନ ମଧ୍ୟରୁ ପାଖାପାଖି ଏମିତି ୧୦୦ଟି ଆସନ ରହିଛି ଯେଉଁଠି ମୁସଲିମ ଭୋଟରଙ୍କର ପ୍ରଭାବ ରହିଛି। ଗତ ନିର୍ବାଚନରେ ସେମାନେ ମମତାଙ୍କୁ ସମର୍ଥନ କରିଥିଲେ ବୋଲି କୁହାଯାଉଛି। ତେବେ କିଛି ଦଳ ସେମାନଙ୍କୁ ଏନଆରସି ଏବଂ ସିଏଏ ନାମରେ ଧମକାଉଥିବା ବେଳେ ଅୱେସୀ ଏଥିରୁ ଫାଇଦା ଉଠାିବାକୁ ଉଦ୍ୟମ କରୁଛନ୍ତି। ଏହି କାରଣରୁ ରାଜ୍ୟରେ ଯେଉଁ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ତାହା ଉଭୟ ରାଜ୍ୟ ଓ ଦେଶ ପାଇଁ ବିପଦ ପ୍ରମାଣିତ ହେବ। ଏହି ବିପଦଟି ହେଉଛି ଧର୍ମ ଭିତ୍ତିରେ ଭୋଟଦାତା ବିଭାଜନ। ଅବିଶ୍ବାସ ଓ ବିଦ୍ବେଶର ବାତାବରଣ। ଯାହାକି ଆମ ଦେଶ ପାଇଁ ଆଦୌ ଶୁଭ ସଙ୍କେତ ନୁହେଁ। ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଏହା ଆହୁରି ବିସ୍ଫୋରକ କରିଦେବ। ତେଣୁ ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ନେତାମାନେ ସାଂପ୍ରଦାୟିକତା ନୁହେଁ, ବିକାଶକୁ ପ୍ରସଙ୍ଗ କରି ନିର୍ବାଚନ ଲଢ଼ନ୍ତୁ। ଏକତା ବଜାୟ ରହିବ, ସଦଭାବ ବି ରହିପାରିବ।

ସମ୍ବନ୍ଧିତ ଖବର