କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ସିଂଘୁ ସୀମାରେ ଉତ୍ସବ ମନାଉଛନ୍ତି ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୩ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେପରେ ସିଂଘୁ ସୀମା ସ୍ଥିତ ଆନ୍ଦୋଳନ ସ୍ଥଳ ନିକଟରେ ଉତ୍ସବର ବାତାବରଣ ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ଆନ୍ଦୋଳନରତ ଚାଷୀ ଖୁସି ମନାଉଛନ୍ତି। ନାଚଗୀତ ସହ କୃଷକମାନେ ଖୁସିରେ ମଜି ଯାଇଛନ୍ତି ଏବଂ ମିଠା ବାଣ୍ଟୁଛନ୍ତି। ଦୀର୍ଘ ୧ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେମାନେ ସିଂଘୁ ସୀମା ନିକଟରେ ଆନ୍ଦୋଳନ କରିଥିବାବେଳେ ପରିଶେଷରେ ସେମାନଙ୍କ ପରିଶ୍ରମର ଫଳ ମିଳିଛି। ଗୁରୁ ପର୍ବରେ ଗୁରୁ ନାନକ ଦେବଜୀଙ୍କ ଆର୍ଶୀବାଦ ବଳରେ ଏହା ସମ୍ଭବ ହୋଇପାରିଛି ବୋଲି ଆନ୍ଦୋଳନରତ କୃଷକମାନେ କହିଛନ୍ତି। କିନ୍ତୁ କୃଷି ଆଇନ ପ୍ରତ୍ୟାହାର ଘୋଷଣା ହେଲେ ସୁଦ୍ଧା ସେମାନେ ଆନ୍ଦୋଳନ ଜାରି ରଖିବେ। ସଂସଦରେ ଏହି ଆଇନ ଉଚ୍ଛେଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ ଚାଷୀମାନେ କହିଛନ୍ତି।

ଜଣେ ଆନ୍ଦୋଳନକାରୀ ହରଦୀପ ସିଂହ କହିଛନ୍ତି, କୃଷି ଆଇନ ଉଚ୍ଛେଦ ହେବା ପର୍ଯ୍ୟନ୍ତ ସଂଘର୍ଷ ଶେଷ ହେବନାହିଁ। ସେହିପରି ଦାଲେର ସିଂହ ନାମକ ଅନ୍ୟ ଜଣେ ଆନ୍ଦୋଳନକାରୀ କହିଛନ୍ତି, କୃଷି ଆଇନ ଉଚ୍ଛେଦ କରିବା ଅତ୍ୟନ୍ତ ଆନନ୍ଦଦା‌ୟକ। କିନ୍ତୁ ସରକାର ମଧ୍ୟ ଆନ୍ଦୋଳନ ସମୟ ମଧ୍ୟରେ ପ୍ରାଣ ହରାଇଥବା ୭୫୦ କୃଷକଙ୍କ ପରିବାର ସଦସ୍ୟଙ୍କ ବିଷୟରେ ଚିନ୍ତା କରିବା ଉଚିତ। ଚାଷୀ ନେତା ବଲୱନ୍ତ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବାକୁ ଆମେ ସ୍ବାଗତ କରୁଛୁ କିନ୍ତୁ ଆଇନ ଉଚ୍ଛେଦ ହେବା ସଂକ୍ରାନ୍ତରେ ବିଜ୍ଞପ୍ତି ନପାଇବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନ ସ୍ଥଳରୁ ହଟିବୁନି। ଆମେ ମଧ୍ୟ ଏମ୍‌ଏସ୍‌ପି ଉପରେ ପ୍ରତିଶ୍ରୁତି ଚାହୁଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର