ଓଡ଼ିଶାରେ କମିଛି ଚାଷୀଙ୍କ ଆୟ, ଆଧାର ସହ ଜମି ରେକର୍ଡ ସଂଯୋଗକୁ ପ୍ରଶଂସା

ନୂଆଦିଲ୍ଲୀ : ଓଡ଼ିଶା ସମେତ ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ ଓ ନାଗାଲାଣ୍ଡ ଆଦି ରାଜ୍ୟମାନଙ୍କରେ ୨୦୧୫-୧୬ ରୁ ୨୦୧୮-୧୯ ମଧ୍ୟରେ ଚାଷୀମାନଙ୍କ ଆୟ ଦ୍ବି ଗୁଣିତ ହେବା ପରିବର୍ତ୍ତେ ହ୍ରାସପାଇଛି। ଓଡ଼ିଶାରେ ଚାଷୀମାନଙ୍କ ଆୟ ୫୨୭୪ ଟଙ୍କାରୁ ୫୧୧୨ ଟଙ୍କାକୁ ଖସିଛି। ସେହିଭଳି ମଧ୍ୟ ପ୍ରଦେଶରେ ୯୭୪୦ ଟଙ୍କାରୁ ୪୮୯୫ ଟଙ୍କାକୁ, ନାଗାଲାଣ୍ଡରେ ୧୧୪୨୮ ଟଙ୍କାରୁ ୯୮୭୭ ଟଙ୍କାକୁ ଏବଂ ଝାଡ଼ଖଣ୍ଡରେ ୭୦୬୮ ଟଙ୍କାରୁ ୪୮୯୫ ଟଙ୍କାକୁ ଖସିଛି। ସଂସଦୀୟ କୃଷି, ପଶୁପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ସାଂସଦ ପିସି ଗାଦିଗୌଡ଼ାକାରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି। ସଂସଦରେ କମିଟି ରିପୋର୍ଟ ଉପସ୍ଥାପିତ ହୋଇଛି। ଏଥି ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରି ଉପରୋକ୍ତ ରାଜ୍ୟମାନଙ୍କରେ ଚାଷୀଙ୍କ ଆୟ ହ୍ରାସ କାରଣ ଖୋଜିବା ସହିତ କି ଭଳି ଏଥିରେ ସୁଧାର ଆସିବ ସେ ଦିଗରେ ପଦକ୍ଷେପ ନେବା ପାଇଁ କମିଟି ପରାମର୍ଶ ଦେଇଛି।

ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ)ରେ ଓଡ଼ିଶାର ହିତାଧିକାରୀମାନଙ୍କ ଆକାଉଣ୍ଟ୍‌ ସହ ଆଧାର ଓ ଜମି ‌ରେକର୍ଡ ସଂଯୋଗକୁ କମିଟି ପ୍ରଶଂସା କରିଛି। ରିପୋର୍ଟରେ ଓଡ଼ିଶା ସମେତ ମହାରାଷ୍ଟ୍ର ଓ ରାଜସ୍ଥାନରେ ହିତାଧିକାରୀମାନଙ୍କ ଆକାଉଣ୍ଟରେ ଆଧାର ଓ ଜମି ରେକର୍ଡ ସଂଯୋଗ ପଦକ୍ଷେପକୁ ପ୍ରଶଂସା କରାଯାଇଛି। ଏହା ଫଳରେ ପିଏମ୍‌ଏଫ୍‌ବିୱାଇରେ ଦୁର୍ନୀତିକୁ ରୋକାଯାଇପାରିବ ବୋଲି କମିଟି କହିଛି। ୨୦୨୨-୨୩ରେ ବଳକା ରାଜ୍ୟମାନେ ଏହି ବ୍ୟବସ୍ଥାକୁ ଆପଣାଇବା ପାଇଁ ପରାମର୍ଶ ଦିଆଯାଇଛି। ଚାଷୀମାନଙ୍କ ଆୟ ଦ୍ବି ଗୁଣିତ କରିବାରେ କୃଷି ଓ କୃଷକ କଲ୍ୟାଣ ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କମିଟି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର