ଯୁଦ୍ଧାସ୍ତ୍ର ଆମଦାନିରେ ଭାରତ ପ୍ରଥମ

ପାଞ୍ଚ ବର୍ଷରେ୨୪ ପ୍ରତିଶତ ବଢ଼ିଛି, ନିର୍ମାଣ କରିବାରେ ବିଫଳ ଯୋଗୁଁ ଏଭଳି ସ୍ଥିତି

ଷ୍ଟକହୋମ: ଅର୍ଥ ସଂକଟ ଯୋଗୁଁ ଭାରତୀୟ ସେନାବାହିନୀ ଅତ୍ୟାଧୁନିକ ଶୈଳୀରେ ନିଜକୁ ସଜାଗ ରଖିବାରେ ବିଫଳ ବୋଲି ନିକଟରେ ଖୋଦ ସେନାବାହିନୀର ଉପମୁଖ୍ୟ ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ ଶରତ ଚନ୍ଦ୍ର ସଂସଦୀୟ କମିଟି ଆଗରେ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ସମ୍ପ୍ରତି ବିଶ୍ୱରେ ଯୁଦ୍ଧାସ୍ତ୍ର ଆମଦାନି କରିବାରେ ଭାରତ ପ୍ରଥମ ଥିବା ଘଟଣା ନିଜର ଯୁଦ୍ଧାସ୍ତ୍ର ଆବଶ୍ୟକତା ପୂରଣ ପାଇଁ ଦେଶ ତାହା ନିର୍ମାଣ କରିବାରେ ବିଫଳ ବୋଲି ସ୍ପଷ୍ଟ ହୋଇଛି। ୨୦୦୮-୨୦୧୨ ପାଞ୍ଚ ବର୍ଷରେ ଅସ୍ତ୍ରଶସ୍ତ୍ର କ୍ରୟ ପରିମାଣ ୨୦୧୩-୨୦୧୭ ବେଳକୁ ୨୪ ପ୍ରତିଶତ ବୃଦ୍ଧି ପାଇଛି। ଗତ ପାଞ୍ଚ ବର୍ଷ ଭିତରେ ଭାରତ ବିଶ୍ୱର ମୋଟ ଯୁଦ୍ଧାସ୍ତ୍ର କ୍ରୟ ପରିମାଣର ୧୨ ପ୍ରତିଶତ ଭାଗୀଦାର ଥିବା ବେଳେ ପ୍ରତିରକ୍ଷା ପାଇଁ କମ୍‌ ବ୍ୟୟବରାଦ ହେଉଥିବାରୁ ଦେଶ ନିଜେ ନିର୍ମାଣ କରିନପାରି ଏଭଳି ଯୁଦ୍ଧାସ୍ତ୍ର ଆମଦାନି ଉପରେ ଭରସା ରଖୁଥିବା ଜଣାଯାଇଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଚାଲିଥିବା ଯୁଦ୍ଧାସ୍ତ୍ର କିଣାବିକା ସଂକ୍ରାନ୍ତ ବିବରଣୀ ରଖୁଥିବା ଷ୍ଟକହୋମ୍‌ ଆନ୍ତର୍ଜାତିକ ଶାନ୍ତି ଗବେଷଣା ପ୍ରତିଷ୍ଠାନ(ସିପ୍ରି) ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରୁ ଏଭଳି ତଥ୍ୟ ମିଳିଛି।

ଭାରତ ସହ ଏହାର ଦୁଇ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଓ ଚୀନ୍‌ ମଧ୍ୟରେ ବିଭିନ୍ନ ସମୟରେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଏହାର ସଫଳ ମୁକାବିଲା ପାଇଁ ଦେଶ ଆବଶ୍ୟକ ପରିମାଣର ଅସ୍ତ୍ରଶସ୍ତ୍ର ନିର୍ମାଣ କରିପାରୁନି। ସୁତରାଂ ଏଥିପାଇଁ ଭାରତ ଯୁଦ୍ଧାସ୍ତ୍ର ଆମଦାନି କରିବାକୁ ବାଧ୍ୟ ହେବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସିପ୍ରିର ବରିଷ୍ଠ ଗବେଷକ ସିମନ୍‌ ଓ୍ଵିଜିମାନ୍‌ କହିଛନ୍ତି। ଅପରପକ୍ଷେ, ଚୀନ୍‌ ଏହାର କ୍ରମବର୍ଦ୍ଧିଷ୍ଣୁ ଯୁଦ୍ଧାସ୍ତ୍ର ଆବଶ୍ୟକତା ମେଣ୍ଟାଇବା ପାଇଁ ନିଜେ ତାହା ନିର୍ମାଣ କରିବାରେ ସମର୍ଥ ହେବା ସହ ପାକିସ୍ତାନ, ବାଂଳାଦେଶ ଏବଂ ମଁ୍ୟାମାର ଆଦି ଦେଶକୁ ରପ୍ତାନି କରି ମଧ୍ୟ ସଂପୃକ୍ତ ରାଷ୍ଟଗୁଡ଼ିକ ସହ ସମ୍ପର୍କ ସୁଦୃଢ଼ କରିଚାଲଥିବା ଓ୍ଵିଜିମାନ୍‌ ଦର୍ଶାଇଛନ୍ତି। ବିଶ୍ୱସ୍ତରରେ ଯୁଦ୍ଧାସ୍ତ୍ର କାରବାର ସମ୍ପର୍କିତ ବିବରଣୀ ରଖିବା ପାଇଁ ସିପ୍ରି ତାହାର ନିଜସ୍ୱ ପରିମାପକ ପ୍ରଣାଳୀ ଟ୍ରେଡ୍‌ ଇଣ୍ଡିକେଟର ଭାଲ୍ୟୁ(ଟିଆଇଭି) ବ୍ୟବହାର କରୁଛି। ବିଭିନ୍ନ ଦେଶର ମୁଦ୍ରାସ୍ଫୀତି ସାଙ୍ଗକୁ ଅନ୍ୟଦେଶର ମୂଲ୍ୟ ସହ ରହିଥିବା ତାରତମ୍ୟକୁ ବିଚାର କରି ଟିଆଇଭି ନିର୍ଣ୍ଣୟ କରାଯାଇଥାଏ। ତେବେ ସିପ୍ରିର ତଥ୍ୟ ମୁତାବକ, ୨୦୦୮-୧୨ରେ ଭାରତର ଟିଆଇଭି ୧୪,୬୦୮ ଥିଲା ବେଳେ ୨୦୧୩-୧୭କୁ ତାହା ୧୮,୦୪୮ରେ ପହଞ୍ଚିଛି। ଅପରପକ୍ଷେ, ପୂର୍ବର କଂଗ୍ରେସ ନେତୃତ୍ୱାଧୀନ ଯୁପିଏ ସରକାରଙ୍କ ତିନିବର୍ଷର ଯୁଦ୍ଧାସ୍ତ୍ର କିଣା ତୁଳନାରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ଅମଳରେ ଢେର କମିଥିବା ଜଣାଯାଇଛି। ଡ. ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ୱ ବେଳେ ୨୦୧୧-୧୩ ମଧ୍ୟରେ ଭାରତ ୧୩,୩୧୯ ଟିଆଇଭି ମୂଲ୍ୟର ଯୁଦ୍ଧାସ୍ତ୍ର କ୍ରୟ କରିଥିବା ବେଳେ ୨୦୧୫-୧୭ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୯,୪୯୯ ଟିଆଇଭିର କାରବାର କରିଛି। ସମ୍ପ୍ରତି ଭାରତ ସହ ଲାଗି ରହିଥିବା ସଂକଟ ସାଙ୍ଗକୁ ନିଜ ଦେଶରେ ଦେଖାଦେଇଥିବା ଅନ୍ତଃକନ୍ଦଳ ଯୋଗୁଁ ପାକିସ୍ତାନର ଅସ୍ତ୍ର ଆମଦାନି ୨୦୦୮-୧୨ ଅପେକ୍ଷା ୨୦୧୩-୧୭ ବେଳକୁ ୩୬ ପ୍ରତିଶତ କମିଯାଇଛି। ବର୍ତ୍ତମାନ ଏହା ବିଶ୍ୱର ମୋଟ ଅସ୍ତ୍ର ଆମଦାନିର ୨.୮ ପ୍ରତିଶତ ଅଂଶୀଦାର ଥିବା ବେଳେ ଗତ ପାଞ୍ଚ ବର୍ଷରେ ଆମେରିକାଠାରୁ ଆମଦାନି କରୁଥିବା ଯୁଦ୍ଧାସ୍ତ୍ର ପରିମାଣରେ ୭୬ ପ୍ରତିଶତ ହ୍ରାସ ହୋଇଥିବା ସିପ୍ରି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର