୫ ରାଜ୍ୟକୁ ପ୍ରଥମ ପର୍ଯ୍ୟାୟରେ କୋଭିଡ୍‌ ଔଷଧ ମିଳିବ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ନିର୍ଦ୍ଦିଷ୍ଟ ଭାବେ କୌଣସି ଔଷଧ କି ଟିକା ଆସିନି। ବିଶ୍ବରେ ସମସ୍ତ ରାଷ୍ଟ୍ର ଏବେ କରୋନା ଟିକା ଓ ଔଷଧ ଅନ୍ବେଷଣରେ ଲାଗି ପଡ଼ିଛନ୍ତି। ଏଭଳି ସ୍ଥଳେ ଭାରତରେ ହାଇଦ୍ରାବାଦ୍‌ର ଏକ ଔଷଧ ପ୍ରସ୍ତୁତକାରୀ କମ୍ପାନି ହେଟେରୋକୁ ପରୀକ୍ଷାମୂଳକ ଭାବେ କରୋନା ଔଷଧ ରେମ୍‌ଡେସିଭିରର ଜେନେରିକ୍‌ ଭର୍ସନର ପ୍ରସ୍ତୁତି ଏବଂ ବିକ୍ରି ପାଇଁ ଅନୁମତି ମିଳିଛି। ଏହି କମ୍ପାନି ମହାରାଷ୍ଟ୍ର ଏବଂ ଦିଲ୍ଲୀ ସମେତ ଦେଶର ୫ଟି ରାଜ୍ୟକୁ ୨୦ ହଜାର ରେମ୍‌ଡେସିଭିର ଔଷଧ ଶିଶି ପଠାଇଛି। କୋଭିଫର ବ୍ରାଣ୍ଡ୍‌ ନାମ ଅଧୀନରେ ବିକ୍ରି ହେଉଥିବା ଏହି ଔଷଧ ଗୁଜରାଟ ଏବଂ ତାମିଲନାଡ଼ୁକୁ ମିଳିବ। ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ୍‌କୁ ମଧ୍ୟ ଖୁବ୍‌ଶୀଘ୍ର ଏହି ଔଷଧ ମିଳିବ।

ହେଟେରୋ ପକ୍ଷରୁ କୁହାଯାଇଛି, ୧୦୦ ମିଲିଗ୍ରାମ୍‌ ବିଶିଷ୍ଟ ଏହି ଔଷଧର ଗୋଟିଏ ଶିଶି ଦାମ୍‌ ୫,୪୦୦ ଟଙ୍କା ରହିଛି। ତେବେ କମ୍ପାନି ଆସନ୍ତା ୩-୪ ସପ୍ତାହ ମଧ୍ୟରେ ୧ ଲକ୍ଷ ଶିଶି ଜେନେରିକ୍‌ ରେମ୍‌ଡେସିଭିର ଔଷଧ ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରଖିଛି। ପରବର୍ତ୍ତୀ ପର୍ଯ୍ୟାୟରେ କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷ୍ନୌ, ପାଟନା, ଭୁବନେଶ୍ବର, ରାଞ୍ଚି, ବିଜୟୱାଡ଼ା , କୋଚି, ତ୍ରିବେନ୍ଦ୍ରମ୍‌ ଏବଂ ଗୋଆକୁ ଏହି ଔଷଧ ପଠାଯିବ। ଏହି ଔଷଧ ‌କେବଳ ହସ୍ପିଟାଲ୍‌ ଏବଂ ସରକାରଙ୍କ ଦ୍ବାରା ମିଳିବ। ତେବେ ଦେଶବ୍ୟାପୀ ସମସ୍ତ ଲୋକଙ୍କ ପାଇଁ ଏହି ଔଷଧ ଖୁବ୍‌ଶୀଘ୍ର ଉପଲବ୍ଧ ‌ହେବ ବୋଲି ହେଟେରୋ ଗ୍ରୁପ୍‌ ଅଫ୍‌ କମ୍ପାନିର ଏମ୍‌ଡି ବଂଶୀ କ୍ରିଷ୍ଣା କହିଛନ୍ତି।

ସମ୍ବନ୍ଧିତ ଖବର