ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ପରିମାପ ପାଇଁ କଣ ପଦକ୍ଷେପ ନେଇଛ ଜଣାଅ, ଓଡ଼ିଶା ସମେତ ୪ ରାଜ୍ୟକୁ ରିପୋର୍ଟ ମାଗିଲା କେନ୍ଦ୍ର

ଭୁବନେଶ୍ୱର : ଆସନ୍ତା ଜୁନ ୩୦ରେ ଅନଲକ୍‌ ୧.୦ ର ଅବଧି ଶେଷ ହେଉଛି ଓ ତାପରେ ଅନଲକ ୨.୦ ଆରମ୍ଭ ହେବ । କେନ୍ଦ୍ର ସରକାର ଏବେ ଅନଲକ୍‌ ୨.୦ ଗାଇଡଲାଇନଗୁଡ଼ିକୁ ଚୂଡ଼ାନ୍ତ ରୂପ ଦେବା ଆରମ୍ଭ କରିଛନ୍ତି ।

ଅନଲକ ୨.୦ରେ ସରକାର ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବା ଉପରେ ଅଧିକ ଗୁରୁତ୍ୱ ଦେବାର ସମ୍ଭାବନା ରହିଛି । ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ପରିମାପ କରିବାକୁ କି କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ କେନ୍ଦ୍ର ସରକାର ଓଡ଼ିଶା, ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ।

ମାର୍ଚ୍ଚ ୨୫ରେ ଲକଡାଉନ ଆରମ୍ଭ ହେବା ପରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟମାନଙ୍କୁ ଫେରିଯାଇଥିଲେ । ଅଧିକାଂଶ ଶ୍ରମିକ ଓଡ଼ିଶା, ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ପ୍ରଭୃତି ରାଜ୍ୟକୁ ଫେରିଥିଲେ । ଏଣୁ ସେମାନଙ୍କୁ ଯେପରି ନିଜ ନିଜ ରାଜ୍ୟରେ ରୋଜଗାରକ୍ଷମ କରିହେବ ସେଥିଲାଗି କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ଶିଳ୍ପ ସଂସ୍ଥାଗୁଡ଼ିକ ଯେପରି ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ଶ୍ରମଶକ୍ତିର ଉପଯୋଗ କରିପାରିବେ ସେ ନେଇ ଉଦ୍ୟମ କରାଯିବ ।

ତେବେ ଅନଲକ ୨.୦ ସମୟରେ ଶିକ୍ଷାନୁଷ୍ଠାନ ଖୋଲିବା, ମେଟ୍ରୋ ଚଳାଇବା ଆଦି ସଂପର୍କରେ ସରକାର ଏବେ ବି କୌଣସି ନିଷ୍ପତ୍ତି ନେଇ ନାହାନ୍ତି ।

ସମ୍ବନ୍ଧିତ ଖବର