ଫ୍ରାନ୍ସରେ ର‌ାଫେଲ୍‌ ତାତି, ତଦନ୍ତ ଦାବି କଲା ଏନ୍‌ଜିଓ

ବିରୋଧୀଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ର‌ାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳଗୁଡ଼ିକ ଘେରିଆସୁଥିବା ବେଳେ ଏବେ ଏହାକୁ ନେଇ ଫ୍ରାନ୍ସରେ ଏକ ସାନି ବିବାଦ ଦେଖାଦେଇଛି। ଏହି ଚୁକ୍ତିରେ ଦୁର୍ନୀତି ହୋଇଥିବା ଆଶଙ୍କା କରି ଏହାର ତଦନ୍ତ କରିବା ଲାଗି ଏକ ସ୍ବେଚ୍ଛାସେବୀ ସଂଗଠନ ଦାବି କରିଛି। ଫ୍ରାନ୍ସର ଏହି ଦୁର୍ନୀତିନିରୋଧୀ ସଂଗଠନ ଫ୍ରେଞ୍ଚ୍ ନ୍ୟାସ୍‌ନାଲ୍‌ ପ୍ରସିକ୍ୟୁଟର୍‌ ନିକଟରେ ଏକ ଅଭିଯୋଗ ଦାଖଲ କରିଛି। ସଂଗଠନ ନିଜ ଅଭି‌ଯୋଗରେ ଦର୍ଶାଇଛି ୫୯,୦୦୦ କୋଟି ଟଙ୍କାର ଏହି ଚୁକ୍ତିରେ ଦୁର୍ନୀତି, ଅଯାଚିତ ଅନୁଗ୍ରହ, ଅର୍ଥ ଠକେଇ ଭଳି ଘଟଣା ଘଟିଛି। ଫ୍ରାନ୍ସ ସରକାର ଏବଂ ରାଫେଲ୍‌ ନିର୍ମାତା ଡାସଲ୍ଟ ଏଭିଏସନ୍‌ ଦ୍ବାରା ଏହିସବୁ ଦୁର୍ନୀତି କରାଯାଇଥିବା ଅନୁମାନ କରାଯାଉଛି। କେଉଁ ପ୍ରକ୍ରିୟା‌ରେ ଭାରତ ସରକାରଙ୍କ ସହିତ ୩୬ ରାଫେଲ୍‌ ଯୁଦ୍ଧ ବିମାନ ଯୋଗାଣ ପାଇଁ ଚୁକ୍ତି କରାଯାଇଛି, ତାହାର ତଦନ୍ତ ହେବା ଜରୁରି ବୋଲି ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସେର୍‌ପା’ ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି। ସେର୍‌ପା ନିଜ ଅଭିଯୋଗରେ ଆହୁରି ଦର୍ଶାଇଛି ଯେ କେଉଁ ପରିସ୍ଥିତିରେ ଅଫ୍‌ସେଟ୍‌ ସହଯୋଗୀ ଭାବେ ରିଲାଏନ୍ସ ଗ୍ରୁପ୍‌କୁ ଡାସଲ୍ଟ ଚୟନ କଲା ତାହାର ମଧ୍ୟ ତଦନ୍ତ ହେବା ଆବଶ୍ୟକ। ଅନୀଲ୍ ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ ଗ୍ରୁପ୍‌ର କୌଣସି ଅଭିଜ୍ଞତା ନଥିବା ବେଳେ କାହା ଚାପରେ ଏହାକୁ ଚୟନ କରାଗଲା, ତାହାର ସତ୍ୟାସତ୍ୟ ଉନ୍ମୋଚନ ହେବା ଜରୁରି। ପଞ୍ଜୀକରଣ‌ ହେବାର ମାତ୍ର ୧୨ ଦିନ ମଧ୍ୟରେ ରିଲାଏନ୍ସକୁ ଚୟନ କରାଯାଇଛି। ଏଥିରୁ ଜଣାପଡୁଛି ଯେ ଚୁକ୍ତି‌ରେ ଯେମିତି ହେଲେ କିଛି ନା କିଛି ରହସ୍ୟ ଲୁଚିରହିଛି। ଅନ୍ୟପକ୍ଷରେ ଏହାକୁ ନେଇ ମୋଦୀ ସରକାରଙ୍କ ଅଡୁଆ ବଢ଼ିଯାଇଛି। ଆଗକୁ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ ୨୦୧୯ରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ବିରୋଧୀ ଦଳଗୁଡ଼ିକ ପୁଣି ର‌ାଫେଲ୍‌ ଚୁକ୍ତିକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିବେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆଜି ମୋଦୀ ସରକାରଙ୍କୁ ଘେରିବା ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧିତ ଖବର