‘ରଖେ ହରି ତ ….’ ଆମେ କହୁନୁ, କହୁଛି ଭିଡିଓ; ଦେଖିଲା ପରେ ଆପଣଙ୍କ ଲୋମ ମୂଳ ଟାଙ୍କୁରି ଉଠିବ

ନୂଆଦିଲ୍ଲୀ: ଆମ ଓଡ଼ିଆରେ ଏକ ବହୁ ପ୍ରଚଳିତ ଆପ୍ତ ବାକ୍ୟ ରହିଛି, ‘ରଖେ ହରି ତ ମାରେ କିଏ?’ ଅର୍ଥ:- ଯଦି ଈଶ୍ୱର ଯଦି ଆପଣଙ୍କୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି, ତେବେ ଦୁନିଆର କୌଣସି ବି ଶକ୍ତି ଆପଣଙ୍କର ପ୍ରାଣ ନେଇପାରିବ ନାହିଁ। ଏହିପରି ଏକ ବିରଳ ଘଟଣାର ଦୃଷ୍ଟାନ୍ତ ଏବେ ଦେଖିବା ପାଇଁ ମିଳିଛି ମୁମ୍ବାଇର ଖୋପୋଲି ରେଳ ଷ୍ଟେସନରେ। ଖାଲି କଥାରେ ବା ଲେଖାରେ କହିଲେ, କେହି ବି ହୁଏତ ଏ କଥାକୁ ବିଶ୍ୱାସକୁ ନିଅନ୍ତେ ନାହିଁ! ହେଲେ, ଏ କଥାର ସତ୍ୟତା ବୟାନ କରୁଛି ସେ ସମୟର ଭିଡିଓ ଚିତ୍ର। ଭିଡିଓଟିକୁ ଦେଖିଲେ ଆପଣଙ୍କର ବି ଦେହ ଶୀତେଇ ଉଠିବ! ଘଟଣାଟି ଘଟିଥିଲା ଗତ ୨୩ ତାରିଖ ରବିବାର ରାତି ୧୧ଟା ୩୦ ମିନିଟ ସମୟରେ ମୁମ୍ବାଇର ଖୋପୋଲି ରେଳ ଷ୍ଟେସନରେ।

ଘଟଣାଟି ଏହିପରି: ତାରିଖ ଡିସେମ୍ବର ୨୩, ରବିବାର। ସ୍ଥାନ ମୁମ୍ବାଇର ଖୋପୋଲି ରେଳ ଷ୍ଟେସନ। ଅମିତ୍‌ ନାମକ ଜଣେ ଯୁବକ ଖୋପୋଲି ପ୍ଲାଟଫର୍ମରେ ଗୋଟିଏ ଟ୍ରେନ୍‌ ଉପରକୁ ଚଢ଼ିବା ପାଇଁ ଚେଷ୍ଟା କରୁଥିବା ବେଳେ ଦୁର୍ଭାଗ୍ୟ ବଶତଃ ଖସି ପଡ଼ନ୍ତି ପ୍ଲାଟଫର୍ମ ଓ ଟ୍ରେନ୍‌ ମଝିରେ ରହିଥିବା ମାତ୍ର କେଇ ଇଞ୍ଚର ସ୍ୱଳ୍ପ ବ୍ୟବଧାନ ମଧ୍ୟକୁ। ତେବେ, ଅମିତ୍‌ ଖସି ପଡ଼ିବା ମାତ୍ରେ କେହି କିଛି ବୁଝିବା ଆଗରୁ ଟ୍ରେନ୍‌ଟି ଚାଲିିବାକୁ ଆରମ୍ଭ କରିଦିଏ। ସେ ସମୟରେ ପ୍ଲାଟଫର୍ମ ଉପରେ ଉପସ୍ଥିତ ଥାଇ ଏ ଘଟଣାକୁ ଦେଖୁଥିବା ସମସ୍ତେ ଧରିନିଅନ୍ତି ଯେ ସବୁ କିଛି ସରିଗଲା! ଅମିତ୍‌ଙ୍କ ଜୀବନ ଚାଲିଗଲା ରେଳ ଚକା ତଳେ। ମାତ୍ର ନା! ସେ ସମୟରେ ଅମିତଙ୍କ ପାଖରେ ଉପସ୍ଥିତ ଥିବା ତାଙ୍କର ଜଣେ ବନ୍ଧୁ ତାଙ୍କ ହାତକୁ ଟାଣି ଧରନ୍ତି। ଏବଂ ଅମିତଙ୍କୁ ଚାପି ରଖନ୍ତି ପ୍ଲାଟଫର୍ମ ଓ ଟ୍ରେନ୍‌ ମଝିରେ ରହିଥିବା ମାତ୍ର କେଇ ଇଞ୍ଚର ସ୍ୱଳ୍ପ ବ୍ୟବଧାନ ମଧ୍ୟରେ। ଟ୍ରେନ୍‌ଟି ପ୍ଲାଟଫର୍ମ ଅତିକ୍ରମ କରିଯିବା ପରେ ସେ ଅମିତ୍‌ଙ୍କୁ ପ୍ଲାଟ୍‌ଫର୍ମ ଉପରକୁ ଉଠାଇ ଆଣନ୍ତି ଜୀବିତାବସ୍ଥାରେ।

ସମ୍ବନ୍ଧିତ ଖବର