ଦିନକ ଲାଗି ମାଓ ଉପଦ୍ରୁତ ଅଂଚଳରେ ପୁଲିସ ଅଧିକାରୀ ସାଜିଲେ ଆଦିବାସୀ ଛାତ୍ରୀ

ରାୟପୁର:  ମାଓ ଇଲାକାରେ ଦେଖିବାକୁ ମିଳିଲା ହିନ୍ଦୀ ଫିଲ୍ମ କାହାଣୀ ଭଳି ଘଟଣା । ହିନ୍ଦୀ ସିନେମା ‘ନାୟକ’ରେ ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ଦେଖିବାକୁ ମିଳିଛନ୍ତି । ସେହିଭଳି  ଆଦିବାସୀ ଅଧ୍ୟୁଷିତ ମାଓ ଅଞ୍ଚଳରେ ଦେଖିବାକୁ ମିଳିଛନ୍ତି ଗୋଟିଏ ଦିନର ପୁଲିସ।

ମାଲକାନଗିରି ସୀମାନ୍ତ ଛତିଶଗଡ କୋଣ୍ଟା ଥାନାରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ । ଯେଉଁଠି ୩ ଜଣ ଆଦିବାସୀ ଛାତ୍ରୀଙ୍କୁ ଗୋଟିଏ ଦିନ ପାଇଁ ପୁଲିସର କ୍ଷମତା ଦେଇଥିଲା‌ ଛତିଶଗଡ ପୁଲିସ । ଦିନକ ପାଇଁ ଥାନା ଅଧିକାରୀ ଓ ସବ ଇନସପେକ୍ଟର ସାଜିଲେ ୩ ଆଦିବାସୀ ଛାତ୍ରୀ । ମହିଳା ଦିବସରେ ଏଭଳି ଅଭିନବ ଉପାୟରେ ନାରୀ ସଶକ୍ତିକରଣର ବାର୍ତ୍ତା ଦେଇଛି ଛତିଶଗଡ ପୁଲିସ ।

ତେବେ ମାଓ ଉପଦୃତ ସୁକମା ଜିଲ୍ଲା ତଥା ମାଲକାନଗିରି ସୀମାରେ କୋଣ୍ଟା ଥାନାରେ ଗତକାଲି ଦେଖିବାକୁ ମିଳିଛି ଏଭଳି ଚିତ୍ର । ଦିବ୍ୟାଶା ନାମକ ଛାତ୍ରୀ ଦିନକ ପାଇଁ ଥାନା ଅଧିକାରୀ ଭାର ସମ୍ଭାଳି ଥିବାବେଳେ କୋର୍ସା ସପନା ଓ ମଣ୍ଡାବୀ ଐଶ୍ଚର୍ଯ୍ୟା ସବ-ଇନସ୍ପେକ୍ଟର ଦାୟିତ୍ୱ ତୁଲାଇଥିଲେ । ଆଉ ଦିନ ତମାମ ଥାନାର ସମସ୍ତ କାମ କରିଥିଲେ । ପାଟ୍ରୋଲିଂ ଠାରୁ ଆରମ୍ଭ କରି ଯାନବାହାନ ଯାଞ୍ଚ ଯାଏଁ ପୁଲିସର ସବୁତକ କାମ କରିଥିଲେ ଏହି କୁନି ଅଧିକାରୀ ।

ତେବେ ମାଓ ଇଲାକାରେ ଛାତ୍ରଛାତ୍ରୀଙ୍କୁ ନକ୍ସଲଙ୍କ କବଳରୁ ରକ୍ଷା କରିବାକୁ ଆଉ ଲାଲଗଡରେ ମାଓବାଦୀଙ୍କୁ ମୂଳପୋଛ କରିବାକୁ ପୋଲିସ ସ୍ଥାନୀୟ ଅଞ୍ଚଳରେ ଏଭଳି ପଦକ୍ଷେପ ନେଉଛି। ଯାହା ଫଳରେ ପିଲା ପୁଲିସ ଫ୍ରେଣ୍ଡଲି ହେବେ ଆଉ ମାଓବାଦୀଙ୍କୁ ମୁହଁତୋଡ ଜବାବ ଦେବେ ।

ସମ୍ବନ୍ଧିତ ଖବର