ସରକାର ‘ଅଦାଲତ ଅବମାନନା’ କରୁଛନ୍ତି:ଚିଠା ପ୍ରସ୍ତାବ ସହ ହାଜର ହେବାକୁ ଜଳ ସଂପଦ ସଚିବଙ୍କୁ ନିର୍ଦ୍ଦେଶ

କାବେରୀ ଜଳ ବୋର୍ଡ ଗଠନରେ ବିଳମ୍ବ ନେଇ ସୁପ୍ରିମ୍‌ କୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ : କାବେରୀ ଜଳ ବଣ୍ଟନ ବୋର୍ଡ ଗଠନ କରିବାରେ କେନ୍ଦ୍ର ସରକାର ଅହେତୁକ ବିଳମ୍ବ କରିଛନ୍ତି। ଏ ବାବଦରେ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ପାଳନ କରିବା ପାଇଁ ଯଥୋଚିତ ପଦକ୍ଷେପ ନିଆଯାଇ ନଥିବାରୁ ଏହା ସଂପୂର୍ଣ୍ଣ ଅଦାଲତ ଅବମାନନା ବୋଲି ଆଜି କୋର୍ଟ କହିଛନ୍ତି। କୋର୍ଟ ଜଳ ସଂପଦ ସଚିବଙ୍କୁ ପରବର୍ତ୍ତୀ ଶୁଣାଣୀ ମେ’ ୧୪ ତାରିଖରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚିଠା ପ୍ରସ୍ତାବ ସହ ତାଙ୍କୁ ହାଜର ହେବାକୁ ପଡ଼ିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଜାବେରୀ ଜଳ ବଣ୍ଟନ ନେଇ କେନ୍ଦ୍ର ସରକାର ଧାର୍ଯ୍ୟ ସମୟ ମଧ୍ୟରେ ଚିଠା ପ୍ରସ୍ତୁତ କରିବାରେ କାହିଁକି ବିଫଳ ହେଲେ ଏବଂ ଏହା କାର୍ଯ୍ୟକାରୀ କରିବା ଦିଗରେ କେଉଁ ପ୍ରତିବନ୍ଧକ ରହିଲା ତାହା ସ୍ପଷ୍ଟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏଏମ୍‌ ଖାନଓ୍ଵିଲକର ଏବଂ ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଥରେ କୋର୍ଟ ରାୟ ପ୍ରକାଶ ପାଇବା ପରେ ଏହା କାର୍ଯ୍ୟକାରୀ ହେବା ଉଚିତ୍‌ ଏବଂ ଏ ଦିଗରେ କାଳକ୍ଷେପଣ ନୀତି ବରଦାସ୍ତ କରାଯିବ ନାହିଁ। କେନ୍ଦ୍ର ସରକାର କାବେରୀ ଜଳ ବଣ୍ଟନ ନେଇ ଚିଠା ପ୍ରସ୍ତୁତ କରିବା ମାମଲାରେ ତାଙ୍କ ଦାୟିତ୍ୱ ଆଦୌ ପରିହାର କରିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୪ ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି। ଏଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ଆଜି ପୁଣିଥରେ ଅଦାଲତରେ କହିଛନ୍ତି ଯେ କାବେରୀ ଜଳବଣ୍ଟନ ନେଇ ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇସାରିଛି, କିନ୍ତୁ ମନ୍ତ୍ରୀମାନେ କର୍ଣ୍ଣାଟକ ନିର୍ବାଚନ ନେଇ ବ୍ୟସ୍ତ ଥିବାରୁ ଏହାକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିନାହିଁ। ତେବେ ଏଭଳି ଯୁକ୍ତିର କୌଣସି ଅର୍ଥ ନାହିଁ ବୋଲି କୋର୍ଟ ଆଜି ଚେତାଇ ଦେଇଛନ୍ତି।
କର୍ଣ୍ଣାଟକ ନିର୍ବାଚନ ୧୨ ତାରିଖରେ ସରିବାକୁ ଥିବାରୁ ଏହାପରେ ମାମଲାର ଶୁଣାଣି ଆବେଦନକୁ କୋର୍ଟ ଗ୍ରହଣ କରିଥିଲେ। ଏସ୍‌ସି ଏସ୍‌ଟି ଆଇନ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ହୋଇଥିବା ହଂସାକାଣ୍ଡକୁ ଦର୍ଶାଇ ବେଣୁଗୋପାଳ କହିଥିଲେ ଯେ କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କାବେରୀ ଜଳବଣ୍ଟନ ନେଇ ଚିଠା ପ୍ରସ୍ତାବ ଦାଖଲ ହେବାଦ୍ୱାରା ଏହାକୁ ନେଇ କର୍ଣ୍ଣାଟକରେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ତେବେ ପ୍ରଧାନ ବିଚାରପତି ଦୀପକ ମିଶ୍ର ଆଜିର ଶୁଣାଣି ସମୟରେ କହିଛନ୍ତି ଯେ କୋର୍ଟ ଉକ୍ତ ମାମଲାଟିକୁ ଅଧିକ ଦିନ ଗଡ଼ାଇବାକୁ ଚାହୁନାହାନ୍ତି । ତେଣୁ କେନ୍ଦ୍ର ସରକାର ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର