୫ ଗୁରୁତ୍ବପୂର୍ଣ୍ଣ ରାୟ ପାଇଁ ପ୍ରଧାନ ବିଚାରପତି ଗୋଗଇଙ୍କ ହାତରେ ମାତ୍ର ୮ ଦିନ ସମୟ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ରଂଜନ ଗୋଗଇ ଆସନ୍ତା ନଭେମ୍ବର ୧୭ ତାରିଖରେ ଅବସର ନେବେ। ଜଷ୍ଟିସ୍‌ ଏସ୍‌ ଏ ବବଡ଼େ ଆଜି ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ ହୋଇଛନ୍ତି। ଏହି ୮ ଦିନ ସମୟ ମଧ୍ୟରେ ଜଷ୍ଟିସ୍‌ ଗୋଗଇ ଧର୍ମଠାରୁ ଆରମ୍ଭ କରି ପ୍ରତିରକ୍ଷା ଏବଂ ରାଜନୀତି କ୍ଷେତ୍ରରେ ୫ଟି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇବାର ଅଛି। ଏହି ୫ଟି ରାୟ ମଧ୍ୟରେ ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ଜମି ବିବାଦ ମାମଲାର ରାୟ ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏହି ରାୟ ଉପରେ ସମଗ୍ର ଦେଶବାସୀଙ୍କର ନଜର ରହିଛି। ପ୍ରଧାନ ବିଚାରପତି ଗୋଗଇ ରାଫେଲ୍‌ ରାୟର ପୁନଃ ସମୀକ୍ଷା ସଂକ୍ରାନ୍ତ ବିଭିନ୍ନ ଆବେଦନ ଉପରେ ମଧ୍ୟ ଚୂଡ଼ାନ୍ତ ରାୟ ଶୁଣାଇ ପାରନ୍ତି। ସେହିପରି କେରଳର ସବରିମାଳା ମନ୍ଦିରକୁ ସବୁ ବୟସର ମହିଳାଙ୍କ ପ୍ରବେଶ ଅନୁମତି ସଂକ୍ରାନ୍ତ ସୁପ୍ରିମକୋର୍ଟ ରାୟର ପୁନଃ ସମୀକ୍ଷା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ଗୋଗଇ ରାୟ ଶୁଣାଇବେ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ନେତ୍ରୀ ମିନାକ୍ଷୀ ଲେଖିଙ୍କ ଦ୍ବାରା ହୋଇଥିବା ଅପରାଧିକ ଅଦାଲତ ଅବମାନନା ମାମଲାରେ ମଧ୍ୟ ପ୍ରଧାନ ବିଚାରପତି ଗୋଗଇ ରାୟ ଶୁଣାଇବେ। ଅର୍ଥ ଆଇନ ୨୦୧୭ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଂଜ କରି ହୋଇଥିବା ବିଭିନ୍ନ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ରଂଜନ ଗୋଗଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ। ଗୋଗଇ ଏହି ରାୟ ମଧ୍ୟ ଶୁଣାଇ ପାରନ୍ତି ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ସୁପ୍ରିମକୋର୍ଟ ଏବେ ଦୀପାବଳି ପାଇଁ ଛୁଟି ଅଛି। ଆସନ୍ତା ନଭେମ୍ବର ୪ ତାରିଖରେ କୋର୍ଟ ଖୋଲିବ। ଏହାପରେ କୋର୍ଟ ପୁଣିଥରେ ନଭେମ୍ବର ୧୧ ଏବଂ ୧୨ ତାରିଖରେ ମଧ୍ୟ ଛୁଟି ରହିବ। ତେବେ ନଭେମ୍ବର ୧୭ ତାରିଖରେ ଗୋଗଇ ଅବସର ନେଉଥିବାରୁ ତାଙ୍କ ପାଖରେ ଆଉ ମାତ୍ର ୮ଟି କାର୍ଯ୍ୟ ଦିବସ ରହିଛି।

ସମ୍ବନ୍ଧିତ ଖବର