ଟିକା ଦାମ୍‌ କମାଇବାକୁ ସିରମ, ଭାରତ ବାୟୋଟେକକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍‌ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଦୁଇଟି ଟିକା ଯଥାକ୍ରମେ କୋଭିସିଲ୍‌ଡ ଏବଂ କୋଭାକ୍ସିନ୍‌ର ମୂଲ୍ୟ ଘୋଷଣା କରିବା ପରେ ଏହାକୁ ବିରୋଧୀ ଦଳ ଏବଂ ବିଭିନ୍ନ ରାଜ୍ୟ ସରକାର କଡ଼ା ସମାଲୋଚନା କରିଥିଲେ। ସବୁଆଡ଼ୁ ସମାଲୋଚନା ହେବା ପରେ କେନ୍ଦ୍ର ସରକାର ଆଜି ଏହି ଦୁଇ କମ୍ପାନିକୁ ଟିକା ଦାମ୍ କମାଇବାକୁ ନିର୍ଦ୍ଦେଶ ଦେଇଥିବା ଏକ ବିଶେଷ ସୂତ୍ରରୁ ଜଣାଯାଇଛି। କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ‌ଗୁରୁତ୍ବପୂର୍ଣ୍ଣ ବୈଠକରେ ଟିକା ଦାମ୍ ଉପରେ ଆଲୋଚନା ହୋଇ ଏଭଳି ନିର୍ଦ୍ଦେଶନାମା ଦିଆଯାଇଛି। ଏବେ ଏହି ଦୁଇ କମ୍ପାନି ସେମାନଙ୍କ ନୂଆ ଦର ସଂପର୍କରେ ପ୍ରସ୍ତାବ ରଖିବେ ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ଭାରତ ବାୟୋଟେକ କୋଭାକ୍ସିନ ଟିକାର ଡୋଜ୍‌ ପିଛା ମୂଲ୍ୟ ରାଜ୍ୟ ସରକାରଙ୍କ ପାଇଁ ୬୦୦ ଟଙ୍କା ଏବଂ ଘରୋଇ ହସ୍ପିଟାଲ ପାଇଁ ୧୨୦୦ ଟଙ୍କା ଧାର୍ଯ୍ୟ କରିଛି। ସେହିଭଳି ସିରମ୍ ଇନଷ୍ଟିଚ୍ୟୁଟ୍ କୋଭିସିଲ୍‌ଡ ଟିକାର ଦାମ ରାଜ୍ୟ ସରକାରଙ୍କ ପାଇଁ ଡୋଜ୍ ପିଛା ୪୦୦ ଟଙ୍କା ଏବଂ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ଘୋଷଣା କରିଛି। ତେବେ ଏହି ଉଭୟ ଟିକା ଏବେ କେନ୍ଦ୍ର ସରକାରଙ୍କୁ କମ୍ପାନି ଡୋଜ୍‌ ପିଛା ୧୫୦ ଟଙ୍କାରେ ଯୋଗାଇ ଦେଉଛନ୍ତି।

ସମ୍ବନ୍ଧିତ ଖବର