ଟ୍ରେନ୍‌ରେ ଚଢ଼ାଇ ଦେଲେନି, ପରିଧାନ ପାଇଁ ୮୨ ବର୍ଷୀୟ ସନ୍ଥ ହଟହଟା

ଲକ୍ଷ୍ନୌ : ଜଣେ ୮୨ ବର୍ଷୀୟ ବୃଦ୍ଧଙ୍କ ପରିଧାନ ପାଇଁ ଜିଆର୍‌ପି ତାଙ୍କୁ ଶତାବ୍ଦୀ ଟ୍ରେନ୍‌ରେ ଚଢ଼ାଇ ଦେଇନାହିଁ। ପାଖରେ ଟିକେଟ୍‌ ଥାଇ ମଧ୍ୟ ବୃଦ୍ଧ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଫଳ ହୋଇଛନ୍ତି। ତେଣୁ ଅତ୍ୟନ୍ତ ହତୋତ୍ସାହ ହୋଇ ସେ ପ୍ରଶ୍ନ କରିଛନ୍ତି- ଏବେ କ’ଣ ପୁଣିଥରେ ବ୍ରିଟିଶ୍‌ ରାଜ୍‌ ଆରମ୍ଭ ହୋଇଯାଇଛି । ଏଭଳି ବ୍ୟବହାର ତାଙ୍କୁ ଖୁବ୍‌ କଷ୍ଟ ଦେଇଛି ବୋଲି ସେ କହିଛନ୍ତି।

ଏହି ୮୨ ବର୍ଷୀୟ ବୃଦ୍ଧ ଯାତ୍ରୀଙ୍କ ନାମ ରାମ ଅବଧ ଦାସ। ସେ ବାରବାଙ୍କି ବା‌ସିନ୍ଦା ଏବଂ ଜଣେ ସନ୍ଥ ଭାବେ ପରିଚିତ। ଏକ ପୂଜା କାର୍ଯ୍ୟରେ ଯୋଗ ଦେବାପାଇଁ ସେ ଗାଜିଆବାଦ୍‌ ଅଭିମୁଖେ ଯାତ୍ରା କରିଥାନ୍ତେ। ରାମ ଅବଧ ଗାଜିଆବାଦ୍‌କୁ ଯାତ୍ରା କରିବାପାଇଁ ଏଟାୱା ‌ଷ୍ଟେସନ୍‌ରୁ କାନପୁର -ନୂଆଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ୍‌ରେ ଚଢ଼ିଥିଲେ। ଟ୍ରେନ୍‌ରେ ଯାତ୍ରା କରିବାପାଇଁ ତାଙ୍କ ଟିକେଟ୍‌ ମଧ୍ୟ ନିଶ୍ଚିତ ହୋଇ ସାରିଥିଲା। କିନ୍ତୁ ଜିଆରପି ତାଙ୍କୁ ଟ୍ରେନ୍‌ରେ ଚଢ଼ାଇ ଦେଇନଥିଲା। ରାମ ଅବଧ ଅଭିଯୋଗ କରିଛନ୍ତି ଯେ ତାଙ୍କ ପରିଧାନ ଅଲଗା ହୋଇଥିବାରୁ ‌ଏବଂ ସେ କେବଳ ଧୋତି ପିନ୍ଧିଥିବା ଏବଂ ଗାମୁଛା ଧରିଥିବାରୁ ତାଙ୍କୁ ଜିଆର୍‌ପି ଟ୍ରେନ୍‌କୁ ଚଢ଼ାଇ ଦେଇନି । ରାମ ଅବଧ ଏନେଇ ଏନ୍‌ସିଆର (ଉତ୍ତର ‌କେନ୍ଦ୍ରୀୟ ରେଳବାଇ)ରେ ଏକ ଲିଖିତ ଅଭି‌ଯୋଗ କରିଛନ୍ତି। ରାମ ଅବଧ କହିଛନ୍ତି, ରେଳ ପୁଲିସ ତାଙ୍କୁ କହିଥିଲେ ଯେ ସେ ଭୁଲ୍‌ ଟ୍ରେନ୍‌ରେ ଚଢ଼ି ଯାଇଛନ୍ତି। କିନ୍ତୁ ସେ ଠିକ୍‌ ଟ୍ରେନ୍‌ରେ ଚଢ଼ିଥିଲେ। ଜିଆରପି ତାଙ୍କୁ ଗୋଟିଏ ବଗିରେ ଚଢ଼ାଇ ନଦେବା ଫଳରେ ସେ ଅନ୍ୟ ଏକ ବଗି‌ରେ ଚଢ଼ିବାକୁ ଯାଉଥିଲେ। କିନ୍ତୁ ସେ ଟ୍ରେନ୍‌ରେ ଚଢ଼ିବା ପୂର୍ବରୁ ଟ୍ରେନ୍‌ ଛାଡ଼ିଦେଲା। ଏନ୍‌ସିଆର ମୁଖ୍ୟ ଜନସଂପର୍କ ଅଧିକାରୀ ଅଜିତ କୁମାର ସିଂହ କହିଛନ୍ତି, ବୃଦ୍ଧ ଜଣଙ୍କ ଭୁଲ୍‌ରେ ପାୱାର କାର୍‌ରେ ଚଢ଼ି ଯାଇଥିଲେ। ତାଙ୍କୁ ମନା କରାଯିବା ପରେ ସେ ଅନ୍ୟ ଏକ ବଗିକୁ ଯିବା ବେଳେ ଟ୍ରେନ୍‌ ଛାଡ଼ି ଦେଇଥିଲା। କିନ୍ତୁ ସିଂହ ସ୍ବୀକାର କରିଛନ୍ତି ଯେ ଜିଆର୍‌ପି ତାଙ୍କୁ ଅନ୍ୟ ଏକ ବଗିରେ ଆଣି ପହଞ୍ଚାଇବାରେ ସାହାଯ୍ୟ କରିପାରିଥାନ୍ତେ।

ସମ୍ବନ୍ଧିତ ଖବର