ଅରୁଣାଚଳ-ଆସାମ ସୀମାରେ ଗୁଳିକାଣ୍ଡ, ୨ ମୃତ

ନୂଆଦିଲ୍ଲୀ : ଆସାମ ଧେମାଜୀ ଜିଲ୍ଲାର ଅରୁଣାଚଳ ପ୍ରଦେଶ ସୀମ‌ାରେ ଆଜି ସକାଳେ ଗୁଳିକାଣ୍ଡ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩ ଜଣ ଆହତ ହୋଇଛନ୍ତି। ବିଶ୍ବ ପରିବେଶ ଦିବସ ଅବସରରେ ସ୍ଥାନୀୟ ‌ଲୋକମାନେ ଆନ୍ତଃ ରାଜ୍ୟ ସୀମା ଅଞ୍ଚଳରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଥିଲେ। ସକାଳେ ଅନେକ ଗ୍ରାମବାସୀ ବୃକ୍ଷରୋପଣର ପ୍ରସ୍ତୁତି ପାଇଁ ଆଗୁଆ ଯାଇ ସୀମା ଅଞ୍ଚଳରେ ପହଞ୍ଚିଥି‌ଲେ। କିନ୍ତୁ ସେମାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଫଳରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ୩ ଜଣଙ୍କ ଦେହରେ ଗୁଳି ବାଜିଥିଲା। ସେମାନଙ୍କୁ ଧେମାଜୀ ସିଭିଲ୍‌ ହସ୍ପିଟାଲ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ସେଠାରେ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୩ ଜଣ ନିଖୋଜ ଅଛନ୍ତି। ପୁଲିସ ସେମାନଙ୍କୁ ଖୋଜୁଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଅରୁଣାଚଳ ପ୍ରଦେଶରୁ କିଛି ଦୁର୍ବୃତ୍ତ ହିଁ ଗୁଳିମାଡ଼ କରିଛନ୍ତି। ଉକ୍ତ ଅଞ୍ଚଳରେ ଆନ୍ତଃ ରାଜ୍ୟ ସୀମା ବିବାଦ ଥିବାରୁ ଏହି ଗୁଳିକାଣ୍ଡ ହୋଇଥିବା ସେମାନେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆସାମ ଏବଂ ଅରୁଣାଚଳପ୍ରଦେଶ ମଧ୍ୟରେ ୮୦୪ କିମି ସୀମା ରହିଛି। ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ଅନେକ ଥର ଆଲୋଚନାରେ ବସିଛନ୍ତି। ସୀମା ବିବାଦର ସମାଧାନ ପାଇଁ ଗତ ଏପ୍ରିଲ ୨୦ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏବଂ ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ମଧ୍ୟରେ ଏକ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା।

ସମ୍ବନ୍ଧିତ ଖବର