ଜିଲ୍ଲାସ୍ତରରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ଦରକାର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରବିବାର କୋଭିଡ-୧୯ ମହାମାରୀ, ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ପରିବହନ ପ୍ରସ୍ତୁତି, ଟିକାକରଣ ଏବଂ ତୃତୀୟ ଲହରରେ ନୂତନ ଭାରିଆଣ୍ଟ ଓମିକ୍ରନର ସ୍ବାସ୍ଥ୍ୟ ଉପରେ ପ୍ରଭାବ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ତୃତୀୟ ଲହରରେ ଓମିକ୍ରନ ଭାରିଆଣ୍ଟ ଯୋଗୁ କୋଭିଡ ମାମଲା ବୃଦ୍ଧି ପାଉଛି। ଏନେଇ ସକାରାତ୍ମକ ପଦକ୍ଷେପ ଦରକାର। ଆଗାମୀ ଦିନରେ ଏହାକୁ ମୁକାବିଲା କରିବାକୁ ରାଜ୍ୟଗୁଡିକର ସମର୍ଥନ ମିଳିବା ଜରୁରୀ। ଏନେଇ କେନ୍ଦ୍ର ପକ୍ଷରୁ ପ୍ରୟାସ ଜାରି ରହିଛି। ବିଶେଷ କରି ସ୍ବାସ୍ଥ୍ୟ ଭିତ୍ତିଭୂମି, ପରୀକ୍ଷଣ କ୍ଷମତା, ଅମ୍ଳଜାନ, ଆଇସିୟୁରେ ଶଯ୍ୟା ଓ ଜରୁରୀକାଳୀନ କୋଭିଡ ରେସପନ୍ସ ପ୍ୟାକେଜ ଅଧୀନରେ ଔଷଧ ମହଜୁଦ ରଖିବା ଆବଶ୍ୟକ। ଏଥିପାଇଁ କେନ୍ଦ୍ର ପକ୍ଷରୁ ରାଜ୍ୟମାନଙ୍କୁ ସହାୟତା ଦିଆଯାଇଛି।

ଜିଲ୍ଲାସ୍ତରରେ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ରାଜ୍ୟଗୁଡିକ ସହ ଏ କ୍ଷେତ୍ରରେ ସମନ୍ବୟ ରକ୍ଷା କରିବା ଉପରେ ସେ ଅଧିକାରୀମାନଙ୍କୁ କହିଥିଲେ। ତେବେ ଟିକାକରଣକୁ ବ୍ୟାପକ କରିବା ପ୍ରୟାସ ଜାରି ରଖାଯାଇଛି। ଗତ ୭ ଦିନରେ ୧୫ରୁ ୧୮ ବର୍ଷ ଭିତରେ ୩୧ ପ୍ରତିଶତ କିଶୋରଙ୍କୁ ପ୍ରଥମ ଡୋଜ ଦିଆଯାଇଛି। ଅଧିକ ମାମଲା ବାହାରିଲେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯିବା ଜରୁରୀ। ଅଧିକ ମାମଲା ବାହାରୁଥିବା ରାଜ୍ୟଗୁଡିକୁ ଆବଶ୍ୟକ ବୈଷୟିକ ସହାୟତା ଦରକାର। ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଯାହା ନିୟମ ରହିଛି ତାହାକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ।

ରାଜ୍ୟର ନିର୍ଦ୍ଦିଷ୍ଟ ପରିସ୍ଥିତି, ସର୍ବୋତ୍ତମ ଅଭ୍ୟାସ ଏବଂ ଜନସ୍ବାସ୍ଥ୍ୟ ପ୍ରତିକ୍ରିୟା ଉପରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ବୈଠକ ଡକାଯିବ। ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ସୂଚନା ଉପଲବ୍ଧ କରିବାକୁ ଟେଲି ମେଡିସିନ ବ୍ୟବହାର କରିବା ଆବଶ୍ୟକତା ଉପରେ କହିଥିଲେ। ତେବେ କରୋନା ମୁକାବିଲା କରିବା ପାଇଁ ଆଗଧାଡିର କର୍ମଚାରୀଙ୍କୁ ସେ ଧନ୍ୟବାଦ ଦେଇଥିଲେ। ନିୟମିତ ଭାଇରସ ବଢ଼ୁଥିବାରୁ ପରୀକ୍ଷଣ, ଟିକା ଏବଂ ଔଷଧୀୟ ହସ୍ତକ୍ଷେପ ସହିତ ଜିନୋମ ସିକ୍ବେନ୍ସି ଉପରେ ବୈଜ୍ଞାନିକ ଅନୁସନ୍ଧାନର ଗୁରୁତ୍ବ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ।

ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡିଭିୟ, ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀନ ପାୱାର, ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡକ୍ଟର ଭି.କେ.ପଲ, କ୍ୟାବିନେଟ ସଚିବ ରାଜୀବ ଗୌବା, ସ୍ବରାଷ୍ଟ୍ର ସଚିବ ଏ.କ‌େ.ଭଲା, ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର