୪ ରାଜ୍ୟରେ ଜଳ ପ୍ରଳୟ: ଶତାଧିକ ମୃତ, କେରଳର ୮୦ ସ୍ଥାନରେ ଭୂସ୍ଖଳନ

ଥିରୁବନନ୍ତପୁରମ୍‌/ଅହମଦାବାଦ୍‌: ଲଗାଣ ବର୍ଷା ଯୋଗୁଁ ଏବେ କେରଳ, କର୍ଣ୍ଣାଟକ, ଗୁଜରାଟ ଏବଂ ମହାରାଷ୍ଟ୍ର ବନ୍ୟା ସ୍ଥିତି ଭୟଙ୍କର ହୋଇଛି। ୪ ରାଜ୍ୟରେ ୧୦୯ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ମିଳିଛି। କେରଳରେ ବନ୍ୟା ଯୋଗୁଁ ୪୬ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୧.୨୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୱାୟନାଡ଼ ଏବଂ କୋଝିକୋଡ଼ରେ ପ୍ରାୟ ୨୫,୦୦୦ ଲୋକ ପ୍ରଭା‌ବିତ ହୋଇଛନ୍ତି। କେରଳର ୮ ଜିଲ୍ଲାରେ ୮୦ ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ଜଣାପଡ଼ିଛି। ଏର୍ନାକୁଲମ୍‌, ଇଡ଼ୁକି, ପଲକ୍କଡ଼, ମଲପ୍ପୁରମ୍‌, କୋଝିକୋଡ୍‌, ୱାୟନାଡ଼, କନ୍ନୁର ଏବଂ କସରଗଡ଼ରେ ରେଡ୍‌ ଆଲର୍ଟ ଜାରି ହୋଇଛି। ଅନେକ ଟ୍ରେନ୍‌ ବାତିଲ କରି ଦିଆଯାଇଛି ଏବଂ କୋଚି ଆନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଚଳାଚଳ ବନ୍ଦ ରହିଛି। ଆଇଏମ୍‌ଡି ପକ୍ଷରୁ ୯ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି ହୋଇଛି। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି ଯେ ସରକାର ରାଜ୍ୟରେ ୭୩୮ ରିଲିଫ୍‌ ଶିବିର ପ୍ରତିଷ୍ଠା କରିଛନ୍ତି।

କର୍ଣ୍ଣାଟକରେ ମଧ୍ୟ ବନ୍ୟା ସ୍ଥିତି ସଙ୍କଟଜନକ ରହିଛି। ପ୍ରବଳ ବର୍ଷାଯୋଗୁଁ ଉତ୍ତର, ମଧ୍ୟ ଏବଂ ଉପକୂଳ କର୍ଣ୍ଣାଟକରେ ଅବସ୍ଥା ସାଂଘାତିକ ହୋଇପଡ଼ିଛି। ବନ୍ୟା ଯୋଗୁଁ ୨୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୯ ଜଣ ନିଖୋଜ ଅଛନ୍ତି। ରାଜ୍ୟରେ ୫,୦୦୦ କୋଟି ଟଙ୍କାର କ୍ଷତି ହୋଇଥିବା ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା କହିଛନ୍ତି। କର୍ଣ୍ଣାଟକରେ ବେଲାଗଭି, ବାଗକଲୋଟ୍‌, ବିଜୟପୁରା, ରାଇଚୁର, ୟାଦଗିରି, ଗଡ଼ଗ, ଉତ୍ତର କନ୍ନଡ଼, ହାଭେରି, ହୁବ୍ବାଲି-ଧରଧ୍ବଡ଼, ଦକ୍ଷିଣ କନ୍ନଡ଼, ଚିକ୍କମଗଲୁର ସବୁଠୁ ଅଧିକ ପ୍ରଭାବିତ ହୋଇଛି। କୋହ୍ଲାପୁର ଏବଂ ସାଙ୍ଗ୍‌ଲି ଜିଲ୍ଲାରେ ପ୍ରାୟ ୨୬ ନୌସେନା ଦଳ ଏବଂ ୨୬ଟି ବୋଟ୍‌ ମୁତୟନ ହୋଇଛି। ମହାରାଷ୍ଟ୍ରରେ ବନ୍ୟା‌ ଯୋଗୁଁ ପ୍ରାୟ ୨୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜରାଟରେ ମଧ୍ୟ ପ୍ରବଳ ବର୍ଷା‌ ଯୋଗୁଁ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଗୁଜରାଟର ଖେଡ଼ା ଜିଲ୍ଲାରେ ଆଜି ଏକ କୋଠା ଭୁଶୁଡ଼ି ଯାଇ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ସେନା ଦ୍ବାରା ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡ଼ୁରେ ପ୍ରାୟ ୬,୦୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର