ଶ୍ରୀନଗରରେ ୧୦ ହଜାର ଲୋକଙ୍କ ହିଂସା ଓ ଆନ୍ଦୋଳନ ଖବର ମିଛ

ରଏଟର୍ସ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କଲା କେନ୍ଦ୍ର

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ଗତକାଲି ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ପ୍ରାୟ ୧୦,୦୦୦ ଲୋକ ହିଂସାତ୍ମକ ଆନ୍ଦୋଳନ କରିଥିଲେ ବୋଲି ବିଦେଶୀ ଗଣମାଧ୍ୟମ ସଂସ୍ଥା ରଏଟର୍ସ ଖବର ପ୍ରକାଶ କରିଥିବାରୁ ଏହାକୁ ସରକାର ଖଣ୍ଡନ କରିଛନ୍ତି ଏବଂ ଏହା ସଂପୂର୍ଣ୍ଣ ମନଗଢ଼ା ଖବର ବୋଲି କହିଛି। ଶୁକ୍ରବାର ପାଇଁ ନମାଜ ପାଠ କରିବା ପରେ ପ୍ରାୟ ୧୦,୦୦୦ ଲୋକ ଆନ୍ଦୋଳନ କରିବାରୁ ପୁଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ପେଲେଟ୍‌ ଏବଂ ଲୁହବୁହା ଗ୍ୟାସ୍‌ ସେଲ୍‌ ପ୍ରୟୋଗ କରିଥିଲା ବୋଲି ରଏଟର୍ସ‌ର ଏକ ରିପୋର୍ଟ ପ୍ରକାଶ ପାଇଛି। ଜଣେ ପୁଲିସ ଅଧିକାରୀ ଏବଂ ଦୁଇ ଜଣ ସ୍ଥାନୀୟ ଲୋକଙ୍କ ବୟାନକୁ ଆଧାର କରି ରଏଟର୍ସ ରିପୋର୍ଟ ପ୍ରକାଶ କରିଥିବା ଦୃଢ଼ୋକ୍ତି ବାଢ଼ିଛି। କିନ୍ତୁ ରଏଟର୍ସ ରିପୋର୍ଟକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ରଏଟର୍ସରେ ପ୍ରକାଶ ପାଇଥିବା ରିପୋର୍ଟ ସମ୍ପୂର୍ଣ୍ଣ ମନଗଢ଼ା। ଏଥିରେ ଆଦୌ ସତ୍ୟତା ନାହିଁ। ଶ୍ରୀନଗରରେ କିଛି ସ୍ଥାନରେ ଆନ୍ଦୋଳନ ହୋଇଛି, କିନ୍ତୁ କୌଣସି ବି ସ୍ଥାନରେ ୨୦ରୁ ଅଧିକ ଲୋକଙ୍କ ସମାଗମ ହୋ‌ଇନାହିଁ। ଉଲ୍ଲେଖଯୋଗ୍ୟ ଧାରା ୩୭୦ ଉଚ୍ଛେଦ ପରେ ଗତକାଲି ପ୍ରଥମ ଥର ପାଇଁ ଶୁକ୍ରବାର ପ୍ରାର୍ଥନା ହୋଇଥିଲା। ଆସନ୍ତା ସୋମବାର ଦିନ ଇଦ୍‌ ଉତ୍ସବ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ଜଣାପଡ଼ିଛି। ସୁରକ୍ଷା ସଂକ୍ରାନ୍ତ ସମସ୍ତ ପଦକ୍ଷେପ ଗ୍ରହଣ ହୋଇଛି।

ସମ୍ବନ୍ଧିତ ଖବର