ମୁମ୍ବାଇରେ ପ୍ରବଳ ବର୍ଷା: ବିଭିନ୍ନ ଅଂଚଳରେ ବନ୍ୟା, ଜଣେ ମୃତ

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ଗତରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ମୁମ୍ବାଇ ସହର ୨୦୦ ମିମି ବର୍ଷାଜଳ ଗ୍ରହଣ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ରେଳ ଧାରଣା ଗୁଡ଼ିକ ବର୍ଷାଜଳରେ ବୁଡ଼ି ଯାଇଥିବାରୁ ସହରରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନେକ ରାସ୍ତାଘାଟ ବୁଡ଼ିଯାଇଛି। ତେବେ ଆଇଏମ୍‌ଡି ପକ୍ଷରୁ ଆସନ୍ତାକାଲି ପାଇଁ ରେଡ୍‌ ଆଲର୍ଟ‌୍ ଜାରି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ବସ୍ତି ଅଂଚଳରେ ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି। ଏକ ଚାଳ ଘର ଭୁଶୁଡ଼ି ପଡ଼ି ଡ୍ରେନ୍‌ରେ ଭାସି ଯାଇଛି । ଘରେ ଥିବା ଜଣେ ମହିଳା ଏବଂ ୨ ଜଣ ଶିଶୁ ମଧ୍ୟ ଡ୍ରେନ୍‌ ଜଳରେ ଭାସି ଯାଇଥିଲେ। ଏମାନଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ଥିବା ଜଣାପଡ଼ିଛି। ଏନ୍‌ଡିଆରଏଫ୍‌ ଦ୍ବାରା ଉଦ୍ଧାର କ‌ାର୍ଯ୍ୟ ଆରମ୍ଭ ‌ହେବାପରେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଏକ ସ୍ଥାନରେ ଜଣେ ୧୫ ବର୍ଷର ବାଳକର ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଛି। ୩ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇ ଯାଇଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର