କେରଳ ବିଧାନସଭାରେ ହାଇଡ୍ରାମା: ବିଧାୟକ-ମାର୍ସାଲ୍‌ ମାରପିଟ୍‌, ୧୧ ଜଣ ଆହତ

ନୂଆଦିଲ୍ଲୀ : କେରଳ ବିଧାନସଭାରେ ବୁଧବାର ଦିନ ହାଇଡ୍ରାମା ହୋଇଛି। ବିରୋଧୀ ୟୁଡିଏଫ୍‌ (ୟୁନାଇଟେଡ୍‌ ଡିମୋକ୍ରାଟିକ ଫ୍ରଣ୍ଟ୍‌)ର ବିଧାୟକମାନେ ବାଚସ୍ପତି ଏ ଏନ୍‌ ସମସେର ପକ୍ଷପାତ କରୁଥିବା ଅଭିଯୋଗ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ବିଧାୟକ ଏବଂ ଗୃହର ମାର୍ସାଲଙ୍କ ମଧ୍ୟରେ ଆଜି ପ୍ରବଳ ସଂଘର୍ଷ ଉପୁଜିଛି। କିଛି ସୁରକ୍ଷାକର୍ମୀ ଏବଂ ବିଧାୟକ ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ବିରୋଧୀ ସଦସ୍ୟମାନେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଏକ ମୁଲତବୀ ପ୍ରସ୍ତାବ ଆଣିବାକୁ ଦାବି କରିଥିଲେ। କିନ୍ତୁ ବାଚସ୍ପତି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ତାଙ୍କ ଅଫିସ୍ ଆଡ଼କୁ ଆନ୍ଦୋଳନ ଯାତ୍ରାରେ ଯାଇଥିଲେ। ତେବେ ହାଉସ ମାର୍ସାଲ ବିରୋଧୀ ବିଧାୟକଙ୍କୁ ବାଚସ୍ପତିଙ୍କ ଅଫିସରୁ କାଢ଼ିବାକୁ ଚେଷ୍ଟା କରିବାବେଳେ ସଂଘର୍ଷ ଉପୁଜିଥିଲା। କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍‌ ଦାବି କରିଛି ଯେ ଶାସକ ବିଧାୟକ ଏବଂ କିଛି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ୪ ଜଣ ବିଧାୟକ ଏଥିଯୋଗୁଁ ଆହତ ହୋଇଛନ୍ତି।
ଅନ୍ୟପକ୍ଷେ ୭ ଜଣ ମାର୍ସାଲ ଆହତ ହୋଇଛନ୍ତି। କଂଗ୍ରେସ ବିଧାୟକ ସନିସ ଯୋସେଫ ତିରୁଅନନ୍ତପୁରମର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର