ଛାତ୍ରୀ କାରରେ ବସି ଦେଲେ ହାଇସ୍କୁଲ୍ ବୋର୍ଡ ପରୀକ୍ଷା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷା ଗୁରୁବାର ଠାରୁ ଆରମ୍ଭ ହୋଇଛି। ପରୀକ୍ଷା ସମୟର ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋ କାରରେ ବସି ୟୁପି ବୋର୍ଡର ପରୀକ୍ଷା ଦେଉଥିବା ଜଣେ ଛାତ୍ରୀଙ୍କର।
ସୂଚନା ଅନୁସାରେ ଜୌନପୁରର କେରାକତ କୋତବାଲି ଅଞ୍ଚଳରେ ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଦଶମ ଶ୍ରେଣୀର ଛାତ୍ରୀ ଜିଲ୍ଲା ପ୍ରଶାସନର ଅନୁମତି ନେଇ କାରରେ ବସି ପରୀକ୍ଷା ଦେଇଥିଲେ। ଛାତ୍ରୀ ବୁଧବାର ପ୍ରବେଶ ପତ୍ର (ଏଡମିଟ୍ କାର୍ଡ) ଆଣିବାକୁ ବିଦ୍ୟାଳୟ ଯାଉଥିବା ସମୟରେ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଶ୍ରୀକୃଷ୍ଣ ବିହାରୀ ଇଣ୍ଟର କଲେଜସ୍ଥିତ ପରୀକ୍ଷା କେନ୍ଦ୍ରରେ କାରରେ ପରୀକ୍ଷା ଦେଉଥିବା ଛାତ୍ରୀ କୀର୍ତ୍ତି ମୌର୍ଯ୍ୟଙ୍କ ଫଟୋ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି। ଦଶମ ଶ୍ରେଣୀର ଛାତ୍ରୀ କୀର୍ତ୍ତି ମୌର୍ଯ୍ୟ ଜମାଲପୁରରେ ରହନ୍ତି। ବୁଧବାର ସେ ନିଜ ପ୍ରବେଶ ପତ୍ର ଆଣିବା ପାଇଁ ସ୍କୁଟି ଚଳାଇ ନିଜ ବିଦ୍ୟାଳୟକୁ ଯାଉଥିଲେ। ଧର୍ମାପୁର ପାଖରେ ଏକ ଅଟୋ ସହିତ ଧକ୍କା ହେବା ପରେ ସେ ସ୍କୁଟି ସହ ସଡକରେ ପଡି ଯାଇଥିଲେ।

ଦୁର୍ଘଟଣାରେ କୀର୍ତ୍ତିଙ୍କ ଗୋଡ ଓ ହାତରେ ଆଘାତ ଲାଗିଥିଲା। ଗୁରୁବାର ଦିନ ସେ ଜିଲ୍ଲା ଅଧିକାରୀଙ୍କ ଅନୁମତି ନେଇ ଶ୍ରୀକୃଷ୍ଣ ବିହାରୀ ଇଣ୍ଟର କଲେଜସ୍ଥିତ ପରୀକ୍ଷା କେନ୍ଦ୍ରକୁ କାରରେ ଯାଇଥିଲେ। ଆହତ ଅବସ୍ଥାରେ ଛାତ୍ରୀ ପରୀକ୍ଷା ଦେବାକୁ ଯିବା ପରେ ତାଙ୍କ ସାହସକୁ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର