ଚୋର ଧରିଥିବା ପୁଲିସ କନେଷ୍ଟବଳଙ୍କୁ ହନିମୁନ୍‌ ପ୍ୟାକେଜ୍‌ ପୁରସ୍କାର

ବେଙ୍ଗାଲୁରୁ: ତିନି ଜଣ ବାଇକ୍‌ ଆରୋହୀ ଚୋରଙ୍କୁ ଏକା ଏକା ୪ କିଲୋମିଟର୍‌ ଗୋଡ଼ାଇବା ପରେ ଜଣକୁ ଧରି ପକାଇଥିବା ଜଣେ କନେଷ୍ଟବଳଙ୍କୁ ପୁରସ୍କାର ବାବଦରେ ମିଳିଛି କେରଳରେ ବୋଟ୍‌ହାଉସ୍‌ ରହଣି ସମେତ ଏକ ହନିମୁନ୍‌ ପ୍ୟାକେଜ୍‌। ଆସନ୍ତା ନଭେମ୍ବର ମାସରେ ତାଙ୍କର ବାହାଘର ହେବାକୁ ଯାଉଥିବାରୁ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଏ ଭଳି ପୁରସ୍କାର ଦେଇଛନ୍ତି।

ହ୍ଵାଇଟ୍‌ଫିଲ୍‌ଡ୍‌ର ଡେପୁଟି ପୁଲିସ କମିସନର୍‌ ଅବ୍‌ଦୁଲ୍‌ ଅସଦ କହନ୍ତି, କେ ଇ ଭେଙ୍କଟେଶଙ୍କୁ ସାହସିକ ଏବଂ ସମର୍ପଣପଣିଆ ପାଇଁ ପୁରସ୍କୃତ କରାଯାଇଛି। ବିବାହ ଉପହାର ସ୍ୱରୂପ ତାଙ୍କୁ ମିଳିବ ୧୦ ହଜାର ଟଙ୍କା ଏବଂ ହନିମୁନ୍‌ ପାଇଁ ସବେତନ ଛୁଟି। ୩୦ ବର୍ଷିୟ କନେଷ୍ଟବଳ ବେଲ୍ଲାଣ୍ଡୁର୍‌ ଥାନାରେ କାର୍ଯ୍ୟ କରୁଛନ୍ତି।

‘ପିପଲ୍‌-ଫ୍ରେଣ୍ଡ୍‌ଲି ପୋଲିସ୍‌’ ପ୍ରୟାସରେ ଭେଙ୍କଟେଶଙ୍କୁ ଜଣେ ବିଟ୍‌ କନେଷ୍ଟବଳ ଭାବେ ଦାୟିତ୍ୱ ମିଳିଥିଲା। ଗୁରୁବାର ନିଜର ଚିତା ବାଇକ୍‌ରେ ସେ ସରଜାପୁର ମୁଖ୍ୟ ରାସ୍ତାରେ ପାଟ୍ରୋଲିଙ୍ଗ୍‌ କରୁଥିବା ବେଳେ ରାତି ପ୍ରାୟ ୨ଟା ୪୫ ମିନିଟ୍‌ ସମୟରେ ଜଣେ ବ୍ୟକ୍ତିଙ୍କ ଚିତ୍କାର ଶୁଣିଲେ। ୨୦୦ ମିଟର୍‌ ଦୂରରେ ଥିବା ଘଟଣାସ୍ଥଳରେ ପହଞ୍ଚି ସେ ଦେଖିଲେ ତିନି ଜଣ ଲୋକ ଦୁଇଟି ମୋଟର୍‌ ବାଇକ୍‌ରେ ଦ୍ରୁତ ବେଗରେ ପଳାଇ ଯାଉଛନ୍ତି। ରାସ୍ତାକଡ଼ରେ ଠିଆ ହୋଇ ଲୋକଟି ଚୋର, ଚୋର ବୋଲି ଚିତ୍କାର କରୁଛି।

ଭେଙ୍କଟେଶ ଚୋରଙ୍କ ପଛରେ ବାଇକ୍‌ ଛୁଟାଇ ଦେଲେ। ୪ କିଲୋମିଟର୍‌ ଯିବା ପରେ ସେ ଜଣେ ଚୋରର ମଟର୍‌ବାଇକ୍‌କୁ ପଛରୁ ଧକ୍କା ଦେଇ ତାକୁ ତଳେ ପକାଇ ଦେଲେ।

ଅନ୍ୟ ବାଇକ୍‌ରେ ଥିବା ଦୁଇ ଚୋର ଖସି ପଳାଇଗଲେ। ଧରିଥିବା ଚୋରଟିକୁ ହୟଶାଳା ଷ୍ଟାଫ୍‌ଙ୍କ ସହାୟତାରେ ସେ ବେଲ୍ଲାଣ୍ଡୁର୍‌ ଥାନାକୁ ନେଲେ। ସେଠାରେ ଅଭିଯୁକ୍ତ ଚୋର ୨୦ ବର୍ଷିୟ ଅରୁଣ ଦୟାଲ୍‌ ବୋଲି ଜଣାପଡ଼ିଲା। ଅନ୍ୟ ଦୁଇ ଚୋର ତା’ର ମୋବାଇଲ୍‌ ଫୋନ୍‌ ନେଇ ଯାଇଛନ୍ତି। ସେମାନଙ୍କୁ ଧରିବାକୁ ତଲାସ ଚାଲିଛି।

ସମ୍ବନ୍ଧିତ ଖବର