ଟିକା ମିଶ୍ରଣ ଓ ମେଳଣ କେତେ ନିରାପଦ?

ନୂଆଦିଲ୍ଲୀ: ଟିକା ମିଶ୍ରଣ ଓ ମେଳଣ (ମିକ୍ସିଂ ଆଣ୍ଡ୍ ମ୍ୟାଚିଂ) କହିଲେ ଗୋଟିଏ ଟିକା ନେବା ପରେ ଅନୁମୋଦିତ ସମୟ ବ୍ୟବଧାନରେ ଦ୍ବିତୀୟ ଡୋଜ୍ ଭାବେ ଅନୁରୂପ ପଦ୍ଧତିରେ ତିଆରି ହୋଇଥିବା ଅନ୍ୟ ଏକ ଟିକା ନେବାକୁ ବୁଝାଏ। କୋଭିଡ୍‌-୧୯ ଟିକାର ଏହି ମିଶ୍ରଣ ଓ ମେଳଣକୁ ନେଇ କିଛି ଦେଶ ଆଗକୁ ବଢ଼ୁଛନ୍ତି। ଡେଲ୍‌ଟା ଭାରିଆଣ୍ଟ ବ୍ୟାପୁଥିବାରୁ ସେଇ ଭୟରୁ ଏ ଚିନ୍ତାଧାରା ମନକୁ ଆସିଛି। ରୁଷ୍‌, ଡେନମାର୍କ, ଜର୍ମାନୀ, ସ୍ପେନ୍ ଓ ଦକ୍ଷିଣ କୋରିଆ ସେମାନଙ୍କ ଦ୍ବିତୀୟ ଡୋଜ୍ ପାଇଁ ଟିକାର ମିଶ୍ରଣ ଓ ମେଳଣ ଉପରେ ଅନୁସନ୍ଧାନ କରୁଥିବା କେତେକ ଦେଶ ମଧ୍ୟରେ ଅଛନ୍ତି।

ୟୁରୋପର ରୋଗ ନିରାକରଣ ଓ ନିୟନ୍ତ୍ରଣ କେନ୍ଦ୍ର ଆକଳନ କରିଛି ଯେ ଅଗଷ୍ଟ ଶେଷ ସୁଦ୍ଧା କେବଳ ୟୁରୋପରେ ସମୁଦାୟ ସଂକ୍ରମଣର ୯୦ ପ୍ରତିଶତରେ ଡେଲଟା ଭାରିଆଣ୍ଟର ଭୂମିକା ରହିବ। ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ) ଏବଂ ୟୁରୋପର ଔଷଧ ନିୟାମକ ଏପର୍ଯ୍ୟନ୍ତ ଟିକା କକ୍‌ଟେଲ (ମିଶ୍ରଣ) ଉପରେ କୌଣସି ସୁପାରିସ କରିନାହାନ୍ତି। ମହାମାରୀ-ଜନିତ ସଙ୍କଟ ସମୟରେ ଦେଶଗୁଡ଼ିକ ବାଧ୍ୟରେ ଏହି କୌଶଳକୁ ଆପଣାଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବର ବିଭିନ୍ନ ଦେଶରୁ ଯେଉଁ ପ୍ରମାଣ ମିଳିଛି ସେହି ଅନୁଯାୟୀ ଏ ମିଶାମିଶି ଟିକାଦାନ ନିରାପଦ। ଟିକାକରଣରୁ ବଞ୍ଚିତ ହେଉଥିବା ଦେଶଗୁଡ଼ିକ ପାଇଁ ଟିକାକରଣକୁ ତ୍ୱରାନ୍ୱିତ କରିବାରେ ଏହା ସହାୟକ ହୋଇପାରେ।

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ବାମୀନାଥନ୍‌ ଟିକା ମିଶ୍ରଣ ବିରୋଧରେ ମତ ଦେଇଛନ୍ତି। ସ୍ୱାସ୍ଥ୍ୟ ଉପରେ ଏହାର କ’ଣ ପ୍ରଭାବ ରହିବ ତା’ ଉପରେ କୌଣସି ତଥ୍ୟ ନ ଥାଇ ଏହାକୁ ଗ୍ରହଣ କରିନେବା ଏକ ବିପଜ୍ଜନକ ଧାରା। ତେବେ ଏଭଳି ନିଷ୍ପତ୍ତି ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଉପରେ ଛାଡି ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ଏହାର ପ୍ରତିକୂଳ ପ୍ରଭାବ ଉପରେ ନଜର ରଖିବା ଆବଶ୍ୟକ ବୋଲି ଡ. ସ୍ବପ୍ନିଳ ପାରିଖ କହିଛନ୍ତି। ସେ କହିଛନ୍ତି, ଏହା ଉପରେ ବୈଜ୍ଞାନିକ ତଥ୍ୟ ହାସଲ ପାଇଁ ଅଧିକ ଅଧ୍ୟୟନ କରାଯାଉଛି। ଏକ ଅକ୍ସଫୋର୍ଡ ଅଧ୍ୟୟନରୁ ଜଣାପଡିଛି ଯେ ଆଷ୍ଟ୍ରାଜେନେକା ନେବାର ଚାରି ସପ୍ତାହ ପରେ ଫାଇଜର ଟିକା ନେବା ଦ୍ବାରା ରୋଗପ୍ରତିରୋଧକ କ୍ଷମତା ଅଧିକ ବୃଦ୍ଧି ପାଉଛି। ମଡର୍ନା ଏବଂ ନୋଭୋଭାକ୍ସ ଟିକା ମିଶ୍ରଣ ଉପରେ ମଧ୍ୟ ଆଉ ଏକ ଅଧ୍ୟୟନ ଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର