ପାଠ ନ ପଢିବାରୁ ପିଲାଙ୍କୁ ମା ପିଟିବାରୁ ଛୁରୀ ଭୁସିଲା ସ୍ୱାମୀ

ମୁମ୍ବାଇ: ପାଠ ନ ପଢିବାରୁ ଛୁଆଙ୍କୁ ମା ମାଡ ମାରିବାରୁ ଏଥିରେ ରାଗିଯାଇ ପତ୍ନୀଙ୍କୁ ଛୁରୀ ଭୁସିଲେ ସ୍ୱାମୀ | ମହାରାଷ୍ଟ୍ର ମୁମ୍ବାଇରେ ଜଣେ ଯୁବକଙ୍କ ଛୁରାମାଡ଼ରେ ପତ୍ନୀ ଗୁରୁତର ଆହତ ହୋଇଛନ୍ତି । ମୁମ୍ବାଇର ଭାକୋଲା ଅଞ୍ଚଳରେ ଏହି ଘଟଣା ଘଟିଛି | ପୁଲିସ କହିଛି ଯେ ଯେତେବେଳେ ଯୁବକଜଣକ ଦେଖିଲେ ଯେ ତାଙ୍କ ପତ୍ନୀ ପିଲାମାନଙ୍କୁ ପାଠ ପଢିବା ପାଇଁ ପିଟୁଛନ୍ତି, ସେତେବେଳେ ସେ ରାଗିଯାଇ ତାଙ୍କ ପତ୍ନୀଙ୍କୁ ଛୁରାମାଡ଼ କରିଥିଲେ | ଭାକୋଲା ପୁଲିସ୍ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ଯୁବକ ଜଣକ ୩୨ ବର୍ଷୀୟ ଅବିନାଶ ୱାରପେ ବୋଲି ଜଣା ପଡିଛି।

ଘଟଣାର କିଛି ସମୟ ପରେ ଅଭିଯୁକ୍ତ ପୁଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲା। ପୁଲିସ କହିଛି ଯେ ଅବିନାଶ ତାଙ୍କ ପତ୍ନୀ ଜୟଶ୍ରୀଙ୍କୁ ଅନେକ ଥର ଛୁରାମାଡ଼ କରିଥିଲେ। ଜୟଶ୍ରୀଙ୍କ ବେକ ଏବଂ ପେଟରେ ଛୁରୀରେ ଆକ୍ରମଣ କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ରହିଛି।

ଅନୁସନ୍ଧାନରୁ ଜଣାପଡିଛି ଯେ ଛୋଟ ଛୋଟ କଥାକୁ ନେଇ ଦମ୍ପତିଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା। ଜୟଶ୍ରୀ ପିଲାମାନଙ୍କୁ ପାଠ ପଢ଼ାଇବାବେଳେ ପିଲାମାନେ ପାଠ ପଢିନଥିଲେ | ଏଥିରେ ରାଗିଯାଇ ଜୟଶ୍ରୀ ସେମାନଙ୍କୁ ମାଡ଼ ମାରିଥିଲେ | ଏହା ଦେଖି ଅବିନାଶ ରାଗିଯାଇ ଜୟଶ୍ରୀଙ୍କୁ ଛୁରାମାଡ଼ କରିଥିଲେ | ପୁଲିସ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୭ (ହତ୍ୟା ଉଦ୍ୟମ) ଅନୁଯାୟୀ ଅବିନାଶଙ୍କୁ ଗିରଫ କରିଛି |

ସମ୍ବନ୍ଧିତ ଖବର