ରିମାନ ହାଇପୋଥେସିସ୍‌ର ସମାଧାନ କରିଥିବା ଦାବିକଲେ ହାଇଦ୍ରାବାଦର ପଦାର୍ଥବିଜ୍ଞାନୀ

ହାଇଦ୍ରାବାଦ: ହାଇଦ୍ରାବାଦର ଗାଣିତିକ ପଦାର୍ଥବିଜ୍ଞାନୀ କୁମାର ଈଶ୍ବରନ୍ ଆଜି ପର୍ଯ୍ୟନ୍ତ ଅସମାହିତ ରହିଥିବା ବିଶ୍ବର ରିମାନ ହାଇପୋଥେସିସ୍‌ର ସମାଧାନ କରିପାରିଛନ୍ତି ବୋଲି ଦାବି କରିଛନ୍ତି। ରିମାନ ହାଇପୋଥେସିସ୍ ନାମକ ଏହି ଗାଣିତିକ ପ୍ରଶ୍ନର ସମାଧାନ ଗତ ୧୬୧ ବର୍ଷ ହେଲା ହୋଇ ପାରୁ ନଥିଲା। ଜର୍ମାନୀର ଗଣିତଜ୍ଞ ବର୍ନହାର୍ଡ ରିମାନ୍‌ ୧୮୫୯ ମସିହାରେ ଏହି ହାଇପୋଥେସିସ୍ ସାମ୍ନାକୁ ଆଣିଥିଲେ। କେମ୍ବ୍ରିଜ୍ର କ୍ଲେ ମ୍ୟାଥେମେଟିକ୍ସ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଅସମାହିତ ପ୍ରଶ୍ନକୁ ନେଇ ପ୍ରସ୍ତୁତ ତାଲିକାରେ ଏହି ‌ହାଇପୋଥେସିସ୍ ରହିଛି। ପ୍ରତିଷ୍ଠାନର ‘ମିଲେନିୟମ ପୁରସ୍କାର’ ତାଲିକାରେ ଏହା ଥିବାବେଳେ ଯେଉଁ ବ୍ୟକ୍ତି ଏହାକୁ ସମାଧାନ କରିବ ତାଙ୍କୁ ୧ ନିୟୁତ ଡଲାରର ପୁରସ୍କାର ରାଶି ‌ପ୍ରଦାନ ନେଇ ଘୋଷଣା କରାଯାଇଛି।

ଈଶ୍ବରନ୍ ହାଇଦ୍ରାବାଦର ଶ୍ରୀନିଧି ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଗାଣିତିକ ପଦାର୍ଥବିଜ୍ଞାନୀ ଭାବେ କାର୍ଯ୍ୟ କରୁଛନ୍ତି। ୫ ବର୍ଷ ପୂର୍ବେ ସେ ତାଙ୍କର ଏହି ସମାଧାନକୁ ଇଣ୍ଟରନେଟ୍‌ରେ ଅପଲୋଡ୍‌ କରିଥିଲେ। ଏହାର ଶୀର୍ଷକ ‘ଦ ଫାଇନାଲ୍ ଆଣ୍ଡ୍ ଏକ୍‌ଜଷ୍ଟିଭ ପ୍ରୁଫ୍ ଅଫ୍ ଦି ରିମାନ ହାଇପୋଥେସିସ ଫ୍ରମ୍ ଫାଷ୍ଟ୍‌ ପ୍ରିନ୍ସିପିଲ୍‌ସ’ ଥିଲା। ୬ ସପ୍ତାହ ଧରି ଏହି ସମସ୍ୟା ଉପରେ କସରତ କରିବା ପରେ ୨୦୧୬ରେ ଉକ୍ତ ସୂତ୍ରକୁ ଇଣ୍ଟରନେଟ୍‌ରେ ରଖିଥିଲେ। ହଜାର ହଜାର ଥର ତାଙ୍କ ଗବେଷଣାଲବ୍ଧ ସମାଧାନକୁ ଡାଉନଲୋଡ କରାଯିବା ପରେ ୮ ଜଣ ଗଣିତଜ୍ଞ ଏବଂ ପଦାର୍ଥବିଜ୍ଞାନୀଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ୨୦୨୦ ମସିହାରେ ଗଠନ କରାଯାଇଥିଲା। ଗଣମାଧ୍ୟମକୁ ଈଶ୍ବରନ୍ କହିଛନ୍ତି ଜଣେ ବ୍ୟକ୍ତି ୧ ରୁ ୨୦ ସଂଖ୍ୟା ଭିତରେ ଥିବା ଅଭାଜ୍ୟ ସଂଖ୍ୟା ବିଷୟରେ ଶୀଘ୍ର କହିଦେଇପାରୁଛି। କିନ୍ତୁ ଗୋଟିଏ ନିୟୁତ କିମ୍ବା ୧୦ ବିଲିଅନ ପର୍ଯ୍ୟନ୍ତ ସଂଖ୍ୟାରେ କେତେ ଅଭାଜ୍ୟ ସଂଖ୍ୟା ରହିଛି ତାହା କହିବା କଷ୍ଟକର। ଉପରୋକ୍ତ ହାଇପୋଥିସିସ୍‌ ଉପରେ ସେ ସମାଧାନ ଦେଇଥିବାରୁ ଉକ୍ତ ସଂଖ୍ୟା ଗଣିବା ସହଜ ହେବ ବୋଲି ଈଶ୍ବରନ୍ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର