ଫିକା ନୀଳ ଡଟ୍

ଆସନ୍ତା ଜୁଲାଇ ୨୦ ତାରିଖରେ ପୃଥିବୀର ସର୍ବାଧିକ ଧନୀ ତଥା ଇ-କମର୍ସ କମ୍ପାନି ‘ଆମାଜନ୍’ ଓ ମହାକାଶ ଯାତ୍ରା ଷ୍ଟାର୍ଟଅପ୍ କମ୍ପାନି ‘ବ୍ଲୁ ଅରିଜିନ୍‌’ର ମାଲିକ ଜେଫ୍ ବେଜସ୍ ନିଜ କମ୍ପାନିର ଯାନ ଆରୋହଣ କରି ସ୍ବଳ୍ପ ସମୟ ପାଇଁ ମହାକାଶକୁ ଯାତ୍ରା କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି। ଏହା ପରେ ପରେ ଏକ ଅଭୂତପୂର୍ବ ଆହ୍ବାନ-ସମ୍ବଳିତ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇ ଯାଇଛି, ଯେଉଁଥିରେ ଏଯାବତ୍ ପ୍ରାୟ ଦେଢ଼ଲକ୍ଷ ଆହ୍ବାନ-ସମର୍ଥକମାନେ ସ୍ବାକ୍ଷର କରି ସାରିଲେଣି। ଆହ୍ବାନଟି ହେଲା- ବିଲିଅନେଆର୍ ବେଜସ୍‌ଙ୍କୁ ଆଉ ପୃଥିବୀ ପୃଷ୍ଠକୁ ଫେରିବାକୁ ଦିଆ ନଯାଉ।

ସେମାନଙ୍କ କହିବା କଥା, ପୃଥିବୀରେ ବାସ କରିବା ହେଉଛି କେବଳ ଏକ ସୁଯୋଗ ମାତ୍ର, କାହାରି ଅଧିକାର ନୁହେଁ। ସେମାନଙ୍କ ମତରେ ପୃଥିବୀରେ ବିଲିଅନେଆର୍ ପୁଞ୍ଜିପତିମାନଙ୍କର କୌଣସି ଆବଶ୍ୟକତା ନାହିଁ; ମହାକାଶରେ ମଧ୍ୟ ସେମାନଙ୍କର ଆବଶ୍ୟକତା ନାହିଁ; କିନ୍ତୁ ଯଦି ସେମାନେ ନିହାତି କେଉଁଠି ରହିବେ- ମହାକାଶରେ ହିଁ ରୁହନ୍ତୁ।

ଚରମ ବିତ୍ତଶାଳୀ ତଥା ପ୍ରତିପତ୍ତିଶାଳୀ ବେଜସ୍ କିନ୍ତୁ କାହିଁକି ମହାକାଶକୁ ଯିବାକୁ ଚାହୁଁଛନ୍ତି, ତା’ର କାରଣ ଦର୍ଶାଇବାକୁ ଯାଇ କହିଛନ୍ତି: ‘‘ମହାକାଶରୁ ପୃଥିବୀକୁ ଦେଖିଲେ ତାହା ତୁମକୁ ବଦଳାଇ ଦେବ। ତୁମର ଏଇ ଗ୍ରହ ସହିତ ସମ୍ପର୍କ, ମାନବ ଜାତି ସହିତ ସମ୍ପର୍କକୁ ତାହା ବଦଳାଇ ଦେବ’’।

ବେଜସ୍‌ଙ୍କ ପରି ଟେକ୍ନୋଲୋଜି ଟାଇକୁନ୍‌ମ‌ାନେ ସେମାନଙ୍କର ବ୍ୟବସାୟ ମାଧ୍ୟମରେ ପୃଥିବୀର ଅର୍ଥନୈତିକ ଓ ସାମାଜିକ ଚିତ୍ରରେ କିପରି ଅହରହ ପରିବର୍ତ୍ତନମାନ ଘଟାଇ ଚାଲିଛନ୍ତି, ତାହା ପ୍ରତ୍ୟେକ ପୃଥିବୀବାସୀ ପ୍ରତି ମୁହୂର୍ତ୍ତରେ ଅଙ୍ଗେ ନିଭାଇ ଚାଲିଛି। ସେ ଦୃଷ୍ଟିରୁ ଜେଫ୍ ବେଜସ୍‌ଙ୍କୁ ଜଣେ ଚିତ୍ରକର ରୂପେ ଦେଖାଯାଇପାରେ। ଜଣେ ଚିତ୍ରକର କାନ୍‌ଭାସ୍‌ରେ ଚିତ୍ରଟିଏ ଆଙ୍କିବା ବେଳେ ଚିତ୍ର ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା କରିବା ପାଇଁ ବାରମ୍ବାର କାନ୍‌ଭାସ୍‌ ଠାରୁ ଦୂରକୁ ହଟି ଆସି ଆଙ୍କୁଥିବା ଚିତ୍ର ଉପରେ ଦୃଷ୍ଟିପାତ କରିଥାନ୍ତି। ଚିତ୍ରକର ବେଜସ୍ କ’ଣ ସେଇଭଳି ପୃଥିବୀ ପୃଷ୍ଠରୁ ଦୂରକୁ ହଟି ଯାଇ ମହାକାଶରେ ଥାଇ ପୃଥିବୀ ସମ୍ବନ୍ଧରେ ଏକ ସ୍ପଷ୍ଟଚିତ୍ର ବା ଚିତ୍ରକର-ଭାଷାରେ ‘ପର୍‌ସ୍ପେକ୍‌ଟିଭ୍’ ହାସଲ କରିବାକୁ ବାହାରିଛନ୍ତି କି ଆଉ?

କିମ୍ବା, ସେ ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ପ୍ଲାଟୋଙ୍କ ଦ୍ବାରା ପ୍ରଭାବିତ ହୋଇଛନ୍ତି କି? ପ୍ଲାଟୋଙ୍କୁ ଏକ ପ୍ରଶ୍ନ ଆନ୍ଦୋଳିତ କରିଥିଲା: ବାସ୍ତବତା କ’ଣ? ଆମେ ଆଖିରେ ଯାହା ଦେଖୁଛୁ, ତାହା ହିଁ ବାସ୍ତବ ନା ଆଉ କିଛି? ପ୍ଲାଟୋଙ୍କ ଉତ୍ତର ଥିଲା- ଆଉ କିଛି। ଏହା ବୁଝାଇବାକୁ ଯାଇ ପ୍ଲାଟୋ ଯେଉଁ ଏକ କାଳ୍ପନିକ ଉଦାହରଣ ବ୍ୟବହାର କରିଥିଲେ, ତାହା ପ୍ଲାଟୋଙ୍କ ଗୁମ୍ଫା-ସାଦୃଶ୍ୟ ରୂପେ ପ୍ରସିଦ୍ଧ। ପ୍ଲାଟୋ କହିଥିଲେ ଆମେ ପୃଥିବୀ ପୃଷ୍ଠରେ ବାସ କରୁଥିବା ମନୁଷ୍ୟମାନେ ହେଉଛୁ ଏକ ଗୁମ୍ଫା ଭିତରେ ଜଞ୍ଜିରରେ ବନ୍ଧା ହୋଇ କାନ୍ଥ ଆଡ଼କୁ ମୁହଁ କରି ପଡ଼ିରହିଥିବା ବନ୍ଦୀମାନଙ୍କ ଭଳି। ଆମେ ସାରା ଜୀବନ ଯାହା ଦେଖିଥାଉ ତାହା ହେଉଛି ଏହି କାନ୍ଥରେ ପଡୁଥିବା ଛାଇ, ଯାହାକୁ ନେଇ ଆମେ ବାସ୍ତବତା ବୋଲି ଭ୍ରମରେ ପଡ଼ିଥାଉ। ଏ ଛାଇ ହେଉଛି ବାସ୍ତବତାର ବିକୃତ ଛାଇ; ବାସ୍ତବତା ଘଟିଚାଲିଥାଏ ଆମର ପଛ ପଟେ। ଆମେ ଯଦି ବାସ୍ତବତା ସହିତ ପରିଚିତ ହେବାକୁ ଚାହୁଁ, ତେବେ ଆମକୁ ଆମର ମାନସିକ ଜଞ୍ଜିର ଛିଣ୍ଡାଇ ବନ୍ଧନ ମୁକ୍ତ ହେବାକୁ ପଡ଼ିବ; ଆମେ ଆମର ଦୈନନ୍ଦିନ ଜୀବନରେ ଦେଖିଚାଲିଥିବା ଛାଇ ସବୁକୁ ଭେଦ କରି ଆମକୁ ଅସଲ ଚିତ୍ର ଉପରେ ଦୃଷ୍ଟି ନିବଦ୍ଧ କରିବାକୁ ହେବ। ଜେଫ୍ ବେଜସ୍ କ’ଣ ପୃଥିବୀର ଅସଲ ଚିତ୍ର ଦେଖିବା ପାଇଁ ସାମୟିକ ଭାବରେ ଶିକୁଳି ଛିଣ୍ଡାଇ ଗୁମ୍ଫା ବାହାରକୁ ଚାଲିଯାଇ ମହାକାଶରୁ ପୃଥିବୀକୁ ଅବଲୋକନ କରିବାକୁ ବାହାରିଛନ୍ତି କି?
ବେଜସ୍ ମହାଶୂନ୍ୟରେ ଥିବା ସମୟରେ ଯଦି ଚର୍ମଚକ୍ଷୁରେ ଦେଖିବା ପୂର୍ବରୁ ମନଶ୍ଚକ୍ଷୁ ଖୋଲି ଦେଖିବାକୁ ଚେଷ୍ଟା କରନ୍ତି, ସେ ଯାହା ଦେଖିବାକୁ ପାଇବେ, ତାହା ହେଲା ଆମ ପରିଚିତ ଆକାଶର ଛାୟାପଥ ନକ୍ଷତ୍ର ପୁଞ୍ଜ ପରି ପ୍ରାୟ ଦଶ ହଜାର କୋଟିରୁ ଅଧିକ ସଂଖ୍ୟକ ବିଶାଳ ନକ୍ଷତ୍ର ପୁଞ୍ଜମାନଙ୍କର ଅନନ୍ତ ବିସ୍ତାର; ପ୍ରତିଟି ନକ୍ଷତ୍ର ପୁଞ୍ଜରେ ଦଶ ହଜାର କୋଟିରୁ ଅଧିକ ସଂଖ୍ୟକ ତାରାମାନଙ୍କର ସମାବେଶ; ପ୍ରତିଟି ତାରା ତା’ର ନିଜର ଗ୍ରହ ମାଳା ଦ୍ବାରା ପରିବେଷ୍ଟିତ; ସେଇମାନଙ୍କ ମଧ୍ୟରୁ ଗୋଟିଏ ଗ୍ରହର ପୃଷ୍ଠରେ ସେ ନିଜେ ଓ ତାଙ୍କ ଭଳି ଅନ୍ୟ ମୁନଷ୍ୟମାନେ ବିତାଉଥିବା ଜୀବନ ହେଉଛି ନିମିଷକର ମାତ୍ର, ଅନନ୍ତ ମହାଶୂନ୍ୟରେ ହଜି ଯାଇଥିବା କ୍ଷୁଦ୍ରାତିକ୍ଷୁଦ୍ର ଠାରୁ ମଧ୍ୟ କ୍ଷୁଦ୍ରତର ଧୂଳିକଣା ଭଳି। ବେଜସ୍‌ଙ୍କର ଚେତନା ଉଦୟ ହୋଇପାରେ ଯେ ଏହି ଅନନ୍ତ ବ୍ୟାପ୍ତି ପୃଷ୍ଠଭୂମିରେ ତାଙ୍କ ଭଳି ବିଲିଅନେଆର୍‌ମାନେ ନିଜକୁ କେନ୍ଦ୍ର କରି ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଦୁନିଆ ହେଉଛି ସମ୍ପୂର୍ଣ୍ଣ ଅର୍ଥହୀନ ଓ ହାସ୍ୟାସ୍ପଦ।

ସେ ଯଦି ଆଉ କିଛି ଉପରକୁ ଉଠିଯାଇ ନିଜର ଚର୍ମଚକ୍ଷୁ ଖୋଲି ନିଜର ବାସସ୍ଥଳୀ ପୃଥିବୀ ଗ୍ରହ ଆଡ଼କୁ ଚାହିଁବେ, ସେ ଯାହା ଦେଖିବାକୁ ପାଇବେ, ତାହା ହେଲା ପ୍ରସିଦ୍ଧ ମହାକାଶବିଜ୍ଞାନୀ ସ୍ବର୍ଗତ କାର୍ଲ‌୍ ସାଗାନ୍ ବର୍ଣ୍ଣନା କରିଥିବା ଭଳି ଏକ ‘ଫିକା ନୀଳ ଡଟ୍’ ମାତ୍ର, ଯାହା ସାଗାନ୍‌ଙ୍କର ଚିରସ୍ମରଣୀୟ ଶବ୍ଦ ବିନ୍ୟାସ ଅନୁସାରେ ହେଉଛି: ‘‘ଝଲକାଏ ସୂର୍ଯ୍ୟ କିରଣରେ ଭାସମାନ ଏକ ଧୂଳିକଣା।’’ ଏହା ହିଁ ହେଉଛି ପ୍ଲାଟୋ ଇଙ୍ଗିତ କରିଥିବା ବାସ୍ତବ ଚିତ୍ର। ଶୃଙ୍ଖଳମୁକ୍ତ ବେଜସ୍ ପୃଥିବୀର ଏହି ପ୍ରକୃତ ଚିତ୍ର ଦେଖିବା ପରେ ହୁଏ’ତ ତାଙ୍କର ଏ ସମ୍ପର୍କରେ କାର୍ଲ ସାଗାନ୍ ଦେଇଥିବା ଆହ୍ବାନ ମନେ ପଡ଼ିଯାଇପାରେ: ‘‘ଆଉ ଥରେ ସେ ଡଟ୍‌କୁ ଦେଖ। ତାହା ହେଉଛି ଏଇ ଜାଗା। ତାହା ଆମ ଘର। ତାହା ଆମେ। …ଆମ ପ୍ରଜାତିର ଇତିହାସରେ ପ୍ରତ୍ୟେକ ରାଜା ଓ କୃଷକ, ପ୍ରତ୍ୟେକ ଯୁବ ପ୍ରେମୀଯୁଗଳ, ପ୍ରତ୍ୟେକ ପିତାମାତା, ପ୍ରତ୍ୟେକ ଆଶାୟୀ ଶିଶୁ, ଉଦ୍ଭାବକ ଓ ଆବିଷ୍କାରକ… ପ୍ରତ୍ୟେକ ଭ୍ରଷ୍ଟ ରାଜନେତା, ପ୍ରତ୍ୟେକ ସୁପର୍‌ଷ୍ଟାର୍… ପ୍ରତ୍ୟେକ ସାଧୁ ଓ ସଇତାନ୍ ଏଇଠି ବାସ କରିଛନ୍ତି- ଝଲକାଏ ସୂର୍ଯ୍ୟ କିରଣରେ ଭାସମାନ ଏକ ଧୂଳିକଣା ଉପରେ। … ଆମ କ୍ଷୁଦ୍ର ଦୁନିଆର ଏହି ସୁଦୂର ଚିତ୍ର ଅପେକ୍ଷା ମାନବୀୟ ଆତ୍ମବଡ଼ିମାର ମୂର୍ଖତାର ଅଧିକ ଉତ୍ତମ ପ୍ରଦର୍ଶନ ଆଉ କିଛି ନ ଥାଇ ପାରେ।’’

ନିଜର କ୍ଷୁଦ୍ରାତିକ୍ଷୁଦ୍ରତା ସମ୍ବନ୍ଧରେ ଚେତନା-ଉଦ୍ରେକକାରୀ ଏହି ଦୃଶ୍ୟ ଯିଏ ବି ଦେଖିବ ତା’ଠାରେ ଯେଉଁ ଶକ୍ତିଶାଳୀ ଭାବନାର ଉଦ୍ରେକ ଘଟିବ, ସାଗାନ୍‌ଙ୍କ ମତରେ ତାହା ହେଉଛି- ଏ ବିଶ୍ବ ବ୍ରହ୍ମାଣ୍ଡରେ କେବଳ ଏହି ଫିକା ନୀଳ କଣିକାଟି ହିଁ ହେଉଛି ଆମର ଏକ ମାତ୍ର ଆଶ୍ରୟ ସ୍ଥଳୀ, ଯାହାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ଯେମିତି ହେଉଛି ଆମର ପ୍ରତ୍ୟେକଙ୍କର ଦାୟିତ୍ବ, ଏହି କ୍ଷୁଦ୍ର ବାସଗୃହଟିରେ ସାରା ପରିବାର ସୁଖଶାନ୍ତିରେ ରହିବା ପାଇଁ ପ୍ରତ୍ୟେକ ସଦସ୍ୟ ଅନ୍ୟ ସଦସ୍ୟମାନଙ୍କ ସହିତ ସହଯୋଗ କରିବା ହେଉଛି ସେମିତି ଆମର ମୌଳିକ ଦାୟିତ୍ବ।

ଯଦି ଜେଫ୍ ବେଜସ୍ ମହାକାଶରୁ ପୃଥିବୀକୁ ଦେଖିବା ବେଳେ ସାଗାନ୍‌ଙ୍କ ଏହି ଡାକ ତାଙ୍କ କାନରେ ପଡ଼େ ଓ ତାଙ୍କର ଚୈତନ୍ୟ ଉଦୟ ହୁଏ ଏବଂ ସେ ନିଜେ କହିଥିବା ଭଳି ବଦଳି ଯାଇ ଘୋଷଣା କରନ୍ତି ଯେ ସେ ଠୁଳ କରିଥିବା ସମସ୍ତ ସମ୍ପଦ ପୃଥିବୀବାସୀଙ୍କ କଲ୍ୟାଣ ପାଇଁ ଏବଂ ଆମର ଏଇ ଫିକା ନୀଳ ଡଟ୍‌ଟିର ପରିବେଶକୁ ସୁରକ୍ଷିତ ରଖିବାରେ ଉତ୍ସର୍ଗ କରିଦେବେ, ତେବେ ଯେଉଁମାନେ ଏବେ ସେ ପୃଥିବୀକୁ ଆଉ ନ ଫେରିବା ପାଇଁ ଆହ୍ବାନ ଦେଉଛନ୍ତି, ସେଇମାନେ ହିଁ ତାଙ୍କ ଫେରିବା ବାଟକୁ ଚାହିଁ ରହନ୍ତେ।

ସମ୍ବନ୍ଧିତ ଖବର