ପ୍ରଧାନମନ୍ତ୍ରୀ କିଏ ହେବ ଜାଣିନି

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ଧକ୍କା ଖାଇବା ପରେ ସହ‌ଯୋଗୀ ଦଳଗୁଡ଼ିକର ପତିଆରା ବଢ଼ିଯାଇଛି। ଆସନ ଭାଗବଣ୍ଟାକୁ ନେଇ ଆଞ୍ଚଳିକ ସହଯୋଗୀ ଦଳଗୁଡ଼ିକର ମୂଲଚାଲ କ୍ଷମତା ବଢ଼ିଛି। ସେହିଭଳି ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଜବାବ ତଲବ କରୁଛନ୍ତି। ମୋଦୀ ବ୍ରାଣ୍ଡ୍‌ର ଯେଉଁ ଚମକ ଥିଲା ତାହା କ୍ରମେ ଶିଥିଳ ହେବାରେ ଲାଗିଛି। ଦଳ ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରୁଥିବା ଲୋକଙ୍କ ହାବଭାବ ମଧ୍ୟ ବଦଳୁଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଯୋଗଗୁରୁ ବାବା ରାମଦେବ ରହିଛନ୍ତି। ବିଜେପିକୁ ସବୁବେଳେ ନେଇ ଗର୍ବ କରୁଥିବା ଏବଂ ଅକୁଣ୍ଠ ସମର୍ଥନ ଦେଇଆସୁଥିବା ରାମଦେବଙ୍କ ଏହି ଅଭ୍ୟାସରେ ପରିବର୍ତ୍ତନ ଆସିଛି। ଏବେ ‌ସେ ନିଜକୁ ନିର୍ଦଳୀୟ ଓ ସର୍ବଦଳୀୟ ବୋଲି କହିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ କେଉଁ ଦଳ ବିଜୟୀ ହେବ, ତାହାକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ଯୋଗଗୁରୁ ବାବା ରାମଦେବଙ୍କ ପୂର୍ବର ଜବାବ ଆଉ ଶୁଣିବାକୁ ମିଳୁନାହିଁ। ୨୦୧୯ରେ ବିଜେପି ଜିତିବା ନେଇ ତାଙ୍କ ମନରେ ଏବେଠୁ ସନ୍ଦେହ ସୃଷ୍ଟି ହେଲାଣି। ଆଗାମୀ ୨-୩ ବର୍ଷରେ ନିଜ ପତଞ୍ଜଳି ଆୟୁର୍ବେଦ କାରବାରକୁ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ରାମଦେବ ଏବେ କାହାକୁ ସମର୍ଥନ କରି ରିସ୍କ ଉଠାଇବାକୁ ଚାହୁନଥିବା ତାଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଜଣାପଡୁଛି। ବାବା ରାମଦେବ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ କିଏ ଜିତିବ, ତାହା ଏବେଠୁ ଆକଳନ କରିବା କଷ୍ଟକର। ଦେଶର ରାଜନୈତିକ ବାତାବରଣ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି। ତେଣୁ କେଉଁ ଦଳ ଉପରେ ଲୋକମାନେ ଭରସା କରି ଭୋଟ୍‌ ଦେବେ ତାହା କହିହେଉ ନାହିଁ। ଯୋଗଗୁରୁ ରାମଦେବ ଆହୁରି କହିଛନ୍ତି ଯେ ୨୦୧୯ରେ ଦେଶର ନେତୃତ୍ବ କିଏ ନେବ, ତାହା ସେ ଯଦିଓ କହିପାରିବେ ନାହିଁ, ତଥାପି ନିର୍ବାଚନ ଲଢ଼େଇ ବେଶ୍‌ ରୋମାଞ୍ଚକ ନିଶ୍ଚିତ ହେବାକୁ ଯାଉଛି। ବିଧାନସଭା ନିର୍ବାଚନରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି। ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଏହାର ଗଡ଼ ଥିବା ବେଳେ କଂଗ୍ରେସ ଏହାକୁ ଛଡ଼ାଇ ନେବା ସହ ରାଜସ୍ଥାନକୁ ମଧ୍ୟ ଅକ୍ତିଆର କରିନେଇଛି। ତେଣୁ ଏଭଳି ସ୍ଥିତି‌ରେ ଦେଶର ରାଜନୈତିକ ବାତାବରଣ ସମ୍ପୂର୍ଣ୍ଣ ବଦଳିଯାଇଛି। ବିଭିନ୍ନ ଆଞ୍ଚଳିକ ଦଳଗୁଡ଼ିକର କ୍ଷମତା ବୃଦ୍ଧି ପାଉଥିବାରୁ ୨୦୧୯ ନେଇ ଆକଳନ କରିବା ମୁସ୍କିଲ୍‌ ବ୍ୟାପାର ହୋଇଛି।

ସମ୍ବନ୍ଧିତ ଖବର