ହାଲୁକା ଲଢ଼ୁଆ ବିମାନ ତେଜସ୍ରେ ଉଡ଼ିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ବେଙ୍ଗାଲୁରୁ/ ନୂଆଦିଲ୍ଲୀ: ଦେଶର ସଂପୂର୍ଣ୍ଣ ନିଜସ୍ୱ ଜ୍ଞାନକୌଶଳ ବ୍ୟବହାର କରି ନିର୍ମିତ ହେଉଥିବା ପ୍ରତିରକ୍ଷା ସାମଗ୍ରୀଗୁଡ଼ିକୁ ଉତ୍ସାହିତ କରିବା ଲକ୍ଷ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା ୧୯ ତାରିଖ ଦିନ ବେଙ୍ଗାଲୁରୁରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ବିମାନ ତେଜସ୍ରେ ଉଡ଼ିବେ। ତାମିଲନାଡ଼ୁର ସୁଲୁର ବାୟୁସେନା ଘାଟୀରେ ଭାରତୀୟ ବାୟୁସେନାର ୪୫ ନମ୍ବର ସ୍କାର୍ଡନ ‘ଫ୍ଲାଇଙ୍ଗ୍ ଡାଗର୍ସ’ରେ ମୁତୟନ ହେବାକୁ ଥିବା ଏକ ‘ଟ୍ଵିନ୍ ସିଟର’ ତେଜସ୍ରେ ବସି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ନିଜ ଉଡ଼ାଣ ଭରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଘରୋଇ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ଏବଂ ଏରୋନଟିକାଲ୍ ଡେଭଲପ୍ମେଣ୍ଟ ଏଜେନ୍ସି (ଏଡିଏ) ମିଳିତ ଭାବେ ଏହି ହାଲୁକା ଲଢ଼ୁଆ ବିମାନ ତେଜସ୍ର ଡିଜାଇନ୍ ପ୍ରସ୍ତୁତ କରିବା ସହ ଏହାକୁ ନିର୍ମାଣ କରିଛନ୍ତି। ବହୁମୁଖୀ କ୍ଷମତା ରଖୁଥିବା ଏହି ସିଙ୍ଗଲ ଇଞ୍ଜିନ୍ ବିଶିଷ୍ଟ ହାଲୁକା ଲଢ଼ୁଆ ବିମାନ ତେଜସ୍କୁ ବାୟୁସେନାରେ ସଂପ୍ରତି ବ୍ୟବହାର କରା ଯାଉଥିବା ଋଷିଆ ନିର୍ମିତ ମିଗ୍-୨୧ ବାଇସନ୍ ବଦଳରେ ସାମିଲ କରାଯିବ।
ଭାରତୀୟ ବାୟୁସେନାରେ ନିକଟ ଭବିଷ୍ୟତରେ ସାମିଲ ହେବାକୁ ଥିବା ଫ୍ରାନ୍ସ ନିର୍ମିତ ରାଫେଲ ଓ ଋଷିଆ ନିର୍ମିତ ସୁଖୋଇ ଏସ୍ୟୁ-୩୦ ଏମ୍କେଆଇ ପରେ ତେଜସ୍ ଭାରତୀୟ ବାୟୁସେନାର ମେରୁଦଣ୍ଡ ସାଜିବ।
ଉଲ୍ଲେଖଯୋଗ୍ୟ, ୫୦, ୦୦୦ କୋଟି ଟଙ୍କା ବିନିମୟରେ ଭାରତୀୟ ବାୟୁସେନା ପାଇଁ ୮୩ଟି ତେଜସ୍ ବିମାନ ନିର୍ମାଣ କରିବାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)କୁ ଅର୍ଡର ଦିଆ ଯାଇଥିଲା। ଇତିମଧ୍ୟରେ ବ୍ୟାପକ ପରୀକ୍ଷାନିରୀକ୍ଷା ପରେ ଦେଶର ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ତେଜସ୍କୁ ଭାରତୀୟ ବାୟୁସେନାରେ ସାମିଲ କରିବା ପାଇଁ ଗତ ୨୦୧୯ ଫେବ୍ରୁଆରି ୨୧ ତାରିଖ ଠାରୁ ଚୂଡ଼ାନ୍ତ ପ୍ରମାଣପତ୍ର ଦେଇ ସାରିଛି।