ପାଇଲଟ୍‌ ଅଭିନନ୍ଦନଙ୍କ ଫଟୋ ଲଗାଇ ନିଜ ଦୋକାନର ପ୍ରଚାର କରୁଛି ପାକିସ୍ତାନୀ ଚା’ ବିକାଳି : ଏମିତି ଚା’ ଯାହା ଶତ୍ରୁ କୁ ମିତ୍ର କରେ

ନୂଆଦିଲ୍ଲୀ : ଭାରତୀୟ ପାଇଲଟ୍‌ ଉଇଙ୍ଗ୍‌ କମାଣ୍ଡର ଅଭିନନ୍ଦନ ପାକିସ୍ତାନର ଲଢ଼ୁଆ ବିମାନ ଏଫ୍‌-୧୬କୁ ଆକ୍ରମଣ କରି ଖସାଇ ଦେବା ପରେ ପାକ୍‌ ସୀମାକୁ ଖସି ପଡ଼ିଥିଲେ । ଏହା ପରେ ତାଙ୍କୁ ପାକ୍‌ ସେନା ନିଜ କବ୍‌ଜାକୁ ନେବାର ୬୦ଘଣ୍ଟା ପରେ ଉଇଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଭାରତକୁ ଫେରିଥିଲେ । ଓ୍ଵାଘା ସୀମାରେ ତାଙ୍କୁ ପାକିସ୍ତାନ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲା । ତେବେ ଏ ସବୁ ମଧ୍ୟରେ ପାଇଲଟ୍‌ ଅଭିନନ୍ଦନ ମିଗ୍‌-୨୧ଲଢ଼ୁଆ ବିମାନ ସାହାଯ୍ୟରେ ଯେଉଁଭଳି ଭାବରେ ନିଜର ପରାକ୍ରମ ଦେଖାଇଥିଲେ ଏବଂ ପାକିସ୍ତାନ ଯାଇ ସେ ଯେଭଳି ଭାବରେ ନିଜର ଦେଶାତ୍ମବୋଧକୁ ପ୍ରମାଣ କରିଥିଲେ । ତାହା ତାଙ୍କୁ ଭାରତରେ ହିରୋ ବନାଇ ଦେଇଥିଲା ।

ସାରା ଭାରତବାସୀ ପାଇଲଟ୍‌ ଅଭିନନ୍ଦନଙ୍କ ଜୟ ଜୟ ଗାନ୍‌ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଆଜିଠାରୁ ଅଭିନନ୍ଦନର ଅର୍ଥ ବଦଳିଗଲା ବୋଲି କହିଥିଲେ । ତେବେ ପୂର୍ବରୁ ଭାରତରେ ପାଇଲଟ୍‌ ଅଭିନନ୍ଦନଙ୍କ ପ୍ରଶଂସା କରାଯାଉଥିବା ବେଳେ ଏବେ ପାକିସ୍ତାନରେ ମଧ୍ୟ ତାଙ୍କ ନାଁକୁ ନେଇ ଜଣେ ଚା’ ବିକାଳି ନିଜ ଦୋକାନର ପ୍ରଚାର କରୁଥିବା ଦେଖା ଯାଇଛି । ଚା’ ବିକାଳି ଜଣକ ପାଇଲଟ୍‌ ଅଭିନନ୍ଦନଙ୍କ ଫଟୋ ଲଗାଇ ପ୍ରଚାର ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଚା’ ବିକାଳିଙ୍କ ଫଟୋ ଭାଇରାଲ ହେବା ପରେ ତାଙ୍କ ମାର୍କେଟିଙ୍ଗ୍‌ ସ୍କିଲ୍‌କୁ ଲୋକେ ପ୍ରଶଂସା କରିଛନ୍ତି ।

ସୂଚନା ମୁତାବକ, କରାଚିରେ ଜଣେ ଚା’ ବିକାଳି ନିଜ ଚା’ ଦୋକାନ ଆଗରେ ପାଇଲଟ୍‌ ଅଭିନନ୍ଦନଙ୍କ ଚା’ ପିଉଥିବାର ଫଟୋ ଲଗାଇ ତଳେ ଉର୍ଦ୍ଦୁ ଭାଷାରେ, “ଏମିତି ଚା’, ଯିଏ ଶତ୍ରୁକୁ ବି ମିତ୍ର ବନାଇ ଦିଏ” ବୋଲି ଲେଖିଛନ୍ତି । କରାଚିର ଜଣେ ଯୁବକ ଏହି ଚା’ ବିକାଳିଙ୍କ ଫଟୋ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଫଟୋଟି ଏବେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର