ଇଦ ପାଇଁ ଚଳଚଞ୍ଚଳ ସାରା ଦେଶର ମସଜିଦ

ନୂଆଦିଲ୍ଲୀ: ଆଜି ଇସଲାମ୍ ଧର୍ମର ପବିତ୍ର ଇଦ୍-ଉଲ-ଜୁହା । ଦେଶର ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ କରୁଛନ୍ତି ମୁସଲିମ୍ ସଂପ୍ରଦାୟର ଲୋକେ । ଏକାଠି ନମାଜ ପାଠ କରିବା ପରେ ପରସ୍ପରକୁ ଇଦ୍ ମୁବାରକ ଜଣାଉଛନ୍ତି ସମସ୍ତେ । ଆଜିର ଦିନକୁ ଇସଲାମ୍ ଧର୍ମରେ ବଳିଦାନର ଦିନ ବୋଲି କୁହାଯାଏ । ଏହାକୁ ମଧ୍ୟ ବକ୍ରି ଇଦ୍ ବୋଲି କୁହାଯାଇଥାଏ । ରାଜ୍ୟର ବିଭିନ୍ନ ମସଜିଦରେ ମଧ୍ୟ ସକାଳୁ ସକାଳୁ ସମୂହ ନମାଜ ପାଠ ପରେ ମୁସଲିମ୍ ସଂପ୍ରଦାୟର ଲୋକେ ପରସ୍ପରକୁ ଇଦ୍ ଶୁଭେଚ୍ଛା ଜଣାଉଛନ୍ତି ।

ସେପଟେ, ବକରି ଇଦ୍ ଅବସରରେ ଆତଙ୍କବାଦୀ ହମଲାକୁ ଆଖିରେ ରଖି ଆଲର୍ଟ ଜାରି କରାଯାଇଛି । ଇଂଟିଲିଜେନ୍ସ ବ୍ୟୁରୋ ଆଲର୍ଟ ଜାରି କରି କହିଛି, ଇସଲାମିକ ଷ୍ଟେଟ ଓ ଆଇଏସଆଇ ସମର୍ଥିତ ଆତଙ୍କବାଦୀ ଭାରତରେ ଆତ୍ମଘାତୀ ହମଲା ଷଡଯନ୍ତ୍ର କରିଛନ୍ତି । ଏହାପରେ ରାଜଧାନୀ ଦିଲ୍ଲୀ ସମେତ ଦେଶର ଏୟାରପୋର୍ଟ, ବଡ ରେଲୱେଷ୍ଟେସନ ଓ ବସଷ୍ଟାଣ୍ଡର ସୁରକ୍ଷା ବଢାଇ ଦିଆଯାଇଛି । ସେହିଭଳି ଆଜି ଜମ୍ମୁକଶ୍ମୀର ସହ ସାରା ଦେଶରେ ବକରୀ ଇଦ ପାଳନ କରାଯାଉଛି ।

ଇଦକୁ ଆଖିରେ ରଖି କଶ୍ମୀରରେ କଟକଣାକୁ କୋହଳ କରାଯାଇଛି । ଜମ୍ମୁକଶ୍ମୀରର ବିଭିନ୍ନ ଅଂଚଳର ମସଜିଦରେ ନମାଜ ପାଠ ପାଇଁ ପ୍ରଶାସନ ଅନୁମତି ଦେଇଛି । ହେଲେ ଘାଟିର ବଡ ବଡ ମସଜିଦରେ ବହୁ ଲୋକଙ୍କ ସମାଗମ ଉପରେ କଟକଣା ଲଗାଯାଇଛି । ପ୍ରବଳ ଲୋକ ଗହଳିର ଫାଇଦା ଉଠାଇ ଅସମାଜିକ ତତ୍ୱ କିଛି ଅଘଟଣ କରିବା ପ୍ରଶାସନ ଆଶଙ୍କା କରିଛି  । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସମ୍ବନ୍ଧିତ ଖବର