ଅଷ୍ଟ୍ରେଲିଆରେ କରୋନା କମୁଛି, ଆମେରିକାରେ ଡାକ୍ତରଖାନାରେ ରୋଗୀ ସଂଖ୍ୟା ବଢ଼ୁଛି

ୱାସିଂଟନ: ସାରା ବିଶ୍ବରେ କରୋନାଭୂତାଣୁ ସଂକ୍ରମଣ ମାମଲା ୩୨୦ ନିୟୁତ ଅତିକ୍ରମ କରିଥିବା ବେଳେ ପ୍ରାୟ ୫.୬ ନିୟୁତ ଲୋକଙ୍କର ମୃତ୍ୟୁ ଘଟିଛି। ଏଥି ସହ ୨୬୬ ନିୟୁତ ସଂକ୍ରମିତ ଲୋକ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୫୪,୮୩୪,୯୧୭ ରହିଛି। ସାରା ବିଶ୍ବ ବର୍ତ୍ତମାନ ଓମିକ୍ରନ୍ ସହ ଯୁଝୁଥିବା ବେଳେ ବୈଜ୍ଞାନିକମାନେ ଆଗକୁ ଏହାଠାରୁ ମାରାତ୍ମକ ଭାରିଆଣ୍ଟ ଆସିବା ଅସମ୍ଭବ ନୁହେଁ ବୋଲି ମତ ଦେଇ ସମସ୍ତଙ୍କର ଚିନ୍ତା ବଢ଼ାଇ ଦେଇଛନ୍ତି। ବୋଷ୍ଟନ ବିଶ୍ବବିଦ୍ୟାଳୟର ମହାମାରୀ ବିଶେଷଜ୍ଞ ଲିଓନାର୍ଡୋ ମାର୍ଟିନେଜ ରବିବାର କହିଛନ୍ତି ଯେ, ଓମିକ୍ରନ୍ ଯେତେ ଶୀଘ୍ର ମାଡ଼ିବ, ଅଧିକ ମ୍ୟୁଟେସନ ହୋଇ ନୂଆ ଭାରିଆଣ୍ଟ ସୃଷ୍ଟି ହେବାର ସମ୍ଭାବନା ସେତେ ବଢ଼ିବ।

ଇରାନ ଶନିବାର ଓମିକ୍ରନ୍‌ରେ ପ୍ରଥମ ତିନିଜଣଙ୍କ ମୃତ୍ୟୁ ରିପୋର୍ଟ କରିଥିବା ବେଳେ ‘ଶୀତ ଅଲିମ୍ପିକ୍’-ମୁହାଁ ଚୀନ୍ ରାଜଧାନୀ ବେଜିଂରେ ପ୍ରଥମ ସ୍ଥାନୀୟ ସଂକ୍ରମଣ ମାମଲା ସମ୍ପର୍କରେ ରିପୋର୍ଟ କରିଛି। ସଦ୍ୟତମ ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆରେ କୋଭିଡ୍-୧୯ ମାମଲା ୫ ଦିନରେ ପ୍ରଥମ ଥର ୧୦୦,୦୦୦ ତଳକୁ ଖସିଛି। ମଧ୍ୟାହ୍ନ ସୁଦ୍ଧା ୮୫,୮୨୪ ମାମଲା ରିପୋର୍ଟ ହୋଇଛି। ଅପରପକ୍ଷେ ଆମେରିକାରେ ସଂକ୍ରମଣ ବୃଦ୍ଧି ପାଇବା ସହ ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା ମଧ୍ୟ ରେକର୍ଡ ବୃଦ୍ଧି ପାଇଛି। ରବିବାର ସୁଦ୍ଧା ମୋଟ ହସ୍ପିଟାଲରେ ଭର୍ତ୍ତି ସଂଖ୍ୟା ୧୪୨,୩୮୮ରେ ପହଞ୍ଚିଛି। ଏହା ପୂର୍ବରୁ ଗତ ୨୦୨୧ ଜାନୁଆରି ୧୪ରେ କୋଭିଡ୍‌ ସଂକ୍ରମିତଙ୍କ ହସ୍ପିଟାଲରେ ଭର୍ତ୍ତି ସଂଖ୍ୟା ୧୪୨,୩୧୫ ଥିଲା। ବେଜିଂରେ ପ୍ରଥମ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ସରକାର ଚିନ୍ତାରେ ପଡ଼ିଛନ୍ତି। ଲୋକଟି ଯେଉଁ ଅଞ୍ଚଳର ବାସିନ୍ଦା ଓ ଯେଉଁ ଅଞ୍ଚଳରେ କାମ କରନ୍ତି ସେ ଦୁଇ ଅଞ୍ଚଳର ୨,୪୩୦ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର