ଭାରତ ହିଁ ଆମେରିକାର ଭରସାଯୋଗ୍ୟ ଅଂଶୀଦାର, ତିନିଟି ସମ୍ଭାବ୍ୟ ଟିକା ଉପରେ ମିଳିତ ଉଦ୍ୟମ ଜାରି

ୱାସିଂଟନ ଡିସି: କରୋନା ଭୂତାଣୁ ବିରୋଧୀ ଲଢେ଼ଇ ପାଇଁ ଆମେରିକୀୟ ଏବଂ ଭାରତୀୟ ଔଷଧ କମ୍ପାନି ମିଳିତ ଭାବେ ତିନିଟି ସମ୍ଭାବ୍ୟ ଟିକା ଉପରେ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି। ସେହିପରି ଆମେରିକା ଭାରତଠାରୁ ଯେତେବେଳେ ବି ଯେଉଁ ପ୍ରକାର ସହଯୋଗ କାମନା କରିଛି, ତାହା ମଧ୍ୟ ପାଇ ଆସିଛି। ଏଥିରୁ ଭାରତ ହିଁ ଆମେରିକାର ଏକ ଭରସାଯୋଗ୍ୟ ଅଂଶୀଦାର ବୋଲି ସ୍ପଷ୍ଟ ହୋଇଛି। ଏକଥା ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ୍ ସିଂହ ସାନ୍ଧୁ କହିଛନ୍ତି। ତେବେ ଏପରି କରୋନା ଟିକା ବାହାର କରିବା ପାଇଁ ଉଭୟ ଦେଶର ଜାରି ରହିଥିବା ସହଯୋଗ ପ୍ରଥମ ଥର ପାଇଁ ନୁହେଁ। ବରଂ ଆଗରୁ ମଧ୍ୟ ଦୁଇ ତିନି ବର୍ଷ ତଳେ ଦୁଇ ଦେଶର ମିଳିତ ଉଦ୍ୟମରେ ଅନ୍ୟ ଏକ ଭୂତାଣୁ ପାଇଁ ପ୍ରଯୁଜ୍ୟ ଟିକା ବିକଶିତ ହୋଇପାରିଛି ବୋଲି ତରନଜିତ କହିଛନ୍ତି।

ସୂଚନାଥାଉ କି, ଚଳିତବର୍ଷ ମହାମାରୀ କୋଭିଡ୍–୧୯ର ପ୍ରକୋପ ପ୍ରକାଶ ପାଇବା ପରଠାରୁ ଉଭୟ ଦେଶ ପରସ୍ପରର ସହଯୋଗ କାମନା କରି ଆସିଛନ୍ତି। ଏପରିକି ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ଏ ସଂକ୍ରାନ୍ତ ଆବଶ୍ୟକ ସୂଚନାର ସମୟୋଚିତ ଆଦାନପ୍ରଦାନ କରିବା ସହ ଯଥାସମ୍ଭବ ସହଯୋଗର ହାତ ବଢ଼ାଇ ଆସିଛନ୍ତି। ଭାରତରେ ମହାମାରୀ କୋଭିଡ୍–୧୯ର ସଂକ୍ରମଣ ରୋକିବା ପାଇଁ ଆମେରିକା ୫୯ ଲକ୍ଷ ଡଲାରର ଆର୍ଥିକ ସହାୟତା କରିଥିବା ବେଳେ ଭାରତ ମଧ୍ୟ କିଛି ଦିନ ତଳେ ଆମେରିକାର ଚାହିଦା ମୁତାବକ ବିପୁଳ ପରିମାଣର ହାଇଡ୍ରକ୍ସିକ୍ଲୋରୋକ୍ବିନ୍ ଟାବ୍ଲେଟ୍ ରପ୍ତାନି କରିଛି। ତେଣୁ କରୋନା ବିରୋଧୀ ଲଢେ଼ଇ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଏହି ଦୁଇ ଭରସାଯୋଗ୍ୟ ଦେଶର ପାରସ୍ପରିକ ସହଯୋଗ ସେହିପରି କାଏମ୍ ରହିବ ବୋଲି ତରନ୍‌ଜିତ୍‌ କହିଛନ୍ତି।

ସମ୍ବନ୍ଧିତ ଖବର