କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ ଅନ୍ତର୍ଗତ ଭୀରୁଡ଼ା ପଞ୍ଚାୟତର ସରପଞ୍ଚଙ୍କୁ ଆକ୍ରମଣ କରି ଦୁଇଭାଇ ଗିରଫ

ତିଗିରିଆ : କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ ଅନ୍ତର୍ଗତ ଭୀରୁଡ଼ା ପଞ୍ଚାୟତର ସରପଞ୍ଚଙ୍କୁ ଆଜି ଆକ୍ରମଣର ଶିକାର ହେବାକୁ ପଡ଼ିଛି।ସରପଞ୍ଚ ପ୍ରେମରଂଜନ ମହାମାନସିଂ କ୍ବାରାଣ୍ଟିନ୍‌ ସେଣ୍ଟରଠାରେ ପ୍ରବାସୀଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ତଦାରଖ କରୁଥିବାବେଳେ ଦୁଇ ଭାଇ ହଠାତ୍‌ ସେଠାରେ ପହଞ୍ଚି ତାଙ୍କୁ ଲୁହାରଡ଼ରେ ଆକ୍ରମଣ କରିଛନ୍ତି । ଦୁଇଭାଇ ହେଲେ, ରଂଜିତ ମଲ୍ଲିକ ଓ ଅଜିତ ମଲ୍ଲିକ। ପୁଲିସ୍‌ ଦୁହିଁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହା ପଛରେ ସ୍ପଷ୍ଟ କାରଣ ଜଣାପଡ଼ିନଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟିଥିବା କୁହାଯାଉଛି।

ଅଭିଯୋଗ ମୁତାବକ, ଆଜି ଦିନ ଗୋଟାଏ ସମୟରେ ସରପଞ୍ଚ ଶ୍ରୀ ମହାମାନସିଂ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ଥିଲେ। ପ୍ରବାସୀଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟର ତଦାରଖ କରୁଥିଲେ। ଏହି ସମୟରେ ଭୀରୁଡ଼ା ଗ୍ରାମର ଦେବରାଜ ମଲ୍ଲିକଙ୍କ ଦୁଇପୁଅ ରଞ୍ଜିତ ଓ ଅଜିତ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ତା‌ଙ୍କୁ ଗାଳିଗୁଲଜ କରିବା ସହ ସେ ପିନ୍ଧିଥିବା ସାର୍ଟକୁ ଚିରି ଦେଇଥିଲେ। ଏହାପରେ ଅଜିତ ଧରିଥିବା ଏକ ଲୁହାରଡ୍‌ରେ ଶ୍ରୀ ମହାମାନସିଂଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଶ୍ରୀ ମହାମାନସିଂଙ୍କ ବାମହାତରେ ଗୁରୁତର ଆଘାତ ଲାଗିଥିଲା। ଏହି ସମୟରେ ଅନ୍ୟ ଅଭିଯୁକ୍ତ ରଞ୍ଜିତ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ଟେବୁଲ ଉପର କାଚକୁ ଭାଙ୍ଗି ଶ୍ରୀ ମହାମାନସିଂଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ପ୍ରାଣ ବିକଳରେ ସେ ପଞ୍ଚାୟତ କାର୍ଯ୍ୟାଳୟ ବାହାରକୁ ଦଉଡ଼ି ପଳାଇଥିଲେ।

ପରେ ସରପଞ୍ଚ ଶ୍ରୀ ମହାମାନସିଂ ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ତିଗିରିଆ ଥାନା ଅଧିକାରୀ ରବୀନ୍ଦ୍ର ଭୁଜବଳ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଦ୍ବୟ ଅଜିତ ଓ ରଞ୍ଜିତଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଧାରା ୧୮୮, ୩୪୧, ୨୯୪, ୩୨୩, ୩୨୫, ୩୦୭, ୩୩୨, ୩୫୩, ୪୨୭, ୫୦୬, ୩୪ ଆଇପିସି, ୩ ପିଡିପିପି ଆକ୍ଟ, ୫୧ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ-୨୦୦୫ ଆଧାରରେ ଏକ ମାମଲା ରୁଜ୍ଜୁ କରି ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର