କୋଭିଡ୍‌କାଳୀନ ଉତ୍ତମ ଦେଶ ତାଲିକାରେ ଭାରତ

ନୂଆଦିଲ୍ଲୀ : ଗତ ମେ ମାସରେ କୋଭିଡ୍‌-୧୯ ଦ୍ବିତୀୟ ଲହରରେ ଭାରତରେ ଦୈନିକ ୪୦୦,୦୦୦ରୁ ଅଧିକ ସଂକ୍ରମଣ ହେଉଥିଲା। ଅଥଚ ବର୍ତ୍ତମାନ ତାହା ଦୈନିକ ୭,୦୦୦ ତଳକୁ ଖସିଯାଇଛି। ଏହାଦ୍ବାରା ବ୍ଲୁମ୍‌ବର୍ଗସ୍ କୋଭିଡ୍‌ ରେଜିଲିଏନ୍ସ ରୢାଙ୍କିଂରେ ଭାରତ ୧୯ଟି ସ୍ଥାନ ଉପରକୁ ଉଠିପାରିଛି। ମାସିକ ତାଲିକାରେ ଭାରତ ବର୍ତ୍ତମାନ ୨୬ତମ ସ୍ଥାନରେ ଅଛି। ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାରେ ବିଶେଷ କ୍ଷତି ନ ପହଞ୍ଚାଇ ସଫଳତାର ସହ କୋଭିଡ୍ ମାମଲା ଓ ଟିକାକରଣ ବ୍ୟବସ୍ଥାର ପରିଚାଳନା କରିବା ଯୋଗୁ ଏହା ସମ୍ଭବ ହୋଇଛି। ଉକ୍ତ ଲିଗ୍ ଟେବୁଲରେ ୫୩ଟି ବୃହତ୍‌ ଅର୍ଥନୀତି-ବିଶିଷ୍ଟ ଦେଶର କୋଭିଡ୍‌ ପରିଚାଳନା ସମ୍ବନ୍ଧିତ ୧୨ଟି ତଥ୍ୟକୁ ନେଇ ବିଶ୍ଳେଷଣ କରାଯାଇଛି। ସେହି ଅନୁଯାୟୀ ଦେଶଗୁଡ଼ିକୁ ରୢାଙ୍କିଂ ଦିଆଯାଇଛି। ଉକ୍ତ ୧୨ଟି ତଥ୍ୟ ଭିତରେ ସଂକ୍ରମଣ କମିବା, ସୁସ୍ଥ ହାର ବଢ଼ିବା, ମୃତ୍ୟୁ ସଂଖ୍ୟା କମିବା, ସାମାଜିକ ଓ ଆର୍ଥିକ ସ୍ଥିତିରେ ବାଧା ନ ଉପୁଜିବା ଆଦି ରହିଛି।

ଦୈନିକ ସଂକ୍ରମଣ କମିବା ସଙ୍ଗେ ସଙ୍ଗେ ଭାରତ ବ୍ୟବସାୟ ଆଦି ପୁଣି ଚାଲୁ କରିବା ପାଇଁ ଅନୁମତି ଦେବା ଯୋଗୁ ଏହି ସଫଳତା ପାଇପାରିଛି। ତା’ ସହ ପ୍ରାଥମିକ ଅବସ୍ଥାରେ ଟିକାକରଣ ମନ୍ଥର ଗତିରେ ଚାଲୁଥିବା ବେଳେ ତାହାକୁ ତ୍ବରାନ୍ବିତ କରାଯିବା ଯୋଗୁ ସଂକ୍ରମଣ ହ୍ରାସ ପାଇପାରିଲା। ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୧୨୪ କୋଟିରୁ ଅଧିକ ଡୋଜ୍ ଟିକା ଦିଆ ସରିଲାଣି। ଭାରତରେ ସଂକ୍ରମଣ ହାର ବର୍ତ୍ତମାନ ବହୁତ କମ୍‌ ରହିଥିବା ବେଳେ ଆର୍ଥିକ ବିକାଶରେ ମଧ୍ୟ ଏହା ଆଗୁଆ ରହିଛି। ୨୦୨୨ ଆର୍ଥିକ ବର୍ଷରେ ଜିଡିପି ୯.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର