କମଳା ହାରିସ୍‌ଙ୍କ ପାଇଁ ଭାରତ ଗର୍ବିତ: ମା’ଙ୍କୁ ମନେ ପକାଇଲେ ହାରିସ୍‌

ୱାସିଂଟନ : ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବା ଭାରତୀୟ ବଂଶୋଦ୍ଭବ କମଳା ହାରିସ ଭାରତ ପାଇଁ ଗର୍ବର କାରଣ ପାଲଟିଛନ୍ତି। କମଳା ମଧ୍ୟ ତାଙ୍କ ସଫଳତାର ସବୁ ଶ୍ରେୟ ତାଙ୍କ ମା’ ଶ୍ୟାମଳା ଗୋପାଳନ୍‌ଙ୍କୁ ‌ଦେଇଛନ୍ତି । ହାରିସ୍‌ ଆଜି ଶପଥ ଗ୍ରହଣ ପୂର୍ବରୁ କହିଥିଲେ, ମା’ଙ୍କ ତ୍ୟାଗ ପାଇଁ ହିଁ ମୁଁ ଆଜି ଏ ସଫଳତା ହାସଲ କରିଛି।

ଯେତେବେଳେ କମଳାଙ୍କ ମା’ଙ୍କୁ ୧୯ ବର୍ଷ ବୟସ ହୋଇଥିଲା, ସେ ଭାରତରୁ ଆମେରିକା ଚାଲି ଆସିଥିଲେ। ହାରିସ୍‌ କହିଛନ୍ତି, ଜଣେ ଭାରତୀୟ କୃଷ୍ଣକାୟ ମହିଳା ତଥା ତାଙ୍କ ମା’ଙ୍କ ପାଇଁ ସେ ଗର୍ବିତ । ଆମେରିକାର ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି କମଳା ହାରିସ ତା‌ଙ୍କ ରାଜନୈତିକ ଜୀବନରେ ଅନେକ ‘ପ୍ରଥମ’ ଯୋଡ଼ି ପାରିଛନ୍ତି। ସେ ଆମେରିକାର ପ୍ରଥମ ମହିଳା, ପ୍ରଥମ କୃଷ୍ଣକାୟ, ପ୍ରଥମ ଭାରତୀୟ-ଆମେରିକୀୟ ଏବଂ ପ୍ରଥମ ଏସୀୟ ଉପରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି। କମଳା ହାରିସଙ୍କ ଭାରତ ସହ ସମ୍ପର୍କ ଏବେ ଉଭୟ ଭାରତ ଓ ଆମେରିକା ପାଇଁ ଅନେକ ଗୁରୁତ୍ବ ବହନ କରୁଛି। ୫୬ ବର୍ଷୀୟ କାଲିଫର୍ଣ୍ଣିଆ ସିନେଟର କମଳା ହାରିସ ଆମେରିକାର ଉପରାଷ୍ଟ୍ରପତି ହେବା ଆମେରିକା ଗଣତନ୍ତ୍ରର ସଫଳତାକୁ ପ୍ରମାଣିତ କରୁଛି। ତତ୍‌କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ କମଳା ହାରିସଙ୍କ ଅନେକ ସାମଞ୍ଜସ୍ୟ ଲକ୍ଷ୍ୟ କରି ଅନେକ କମଳାଙ୍କୁ ବାରାକ ଓବାମାଙ୍କ ମହିଳା ରୂପ ଭାବେ ସମ୍ବୋଧନ କରୁଥିଲେ। ୨୦୧୬ରେ ସିନେଟ୍‌ ନିର୍ବା‌ଚିତ ହେବା ପରେ କମଳା ହାରିସଙ୍କୁ ବାରାକ ଓବାମାଙ୍କ ଶ୍ରେଷ୍ଠ ପ୍ରତିନିଧି ଭାବେ ଗଣାଯାଉଥିଲା। କମଳାଙ୍କ ବାପା ଡୋନାଲ୍‌ଡ ହାରିସ ଜାମାଇକାର ନାଗରିକ ଥିବା ବେଳେ ମା’ ଶ୍ୟାମଳା ଗୋପାଳନ୍‌ ଜଣେ ଭାରତୀୟ ଥିଲେ। ଚେନ୍ନାଇ ଜନ୍ମିତ ଶ୍ୟାମଳା ୧୯ ବର୍ଷ ବୟସରେ ଭାରତ ଛାଡ଼ି ଆମେରିକା ଚାଲି ଆସିଥିଲେ ଏବଂ ନିଜକୁ ଜଣେ ଆମେରିକୀୟ ବୋଲି ଗର୍ବ କରୁଥିଲେ।

ବୃତ୍ତିରେ ଶ୍ୟାମଳା ଜଣେ କ୍ୟାନ୍‌ସର ରୋଗ ବିଶେଷଜ୍ଞ ଡାକ୍ତର ଥିଲେ। କମଳାଙ୍କ ଏ ସଫଳତା ପଛରେ ମା’ଙ୍କର ଏକ ବଡ଼ ପ୍ରଭାବ ରହିଛି। ବାପା ଓ ମା’ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଯିବା ପରେ କମଳା ମା’ଙ୍କ ନିକଟରେ ରହୁଥିଲେ। ଦୁଇ ଝିଅ କମଳା ଏବଂ ମାୟାଙ୍କୁ ଖୁବ୍‌ ଯତ୍ନର ସହ ଶ୍ୟାମଳା ଛୋଟରୁ ବଡ଼ କରିଥିଲେ। କମଳା ନିଜ ପିତାଙ୍କ ଆଫ୍ରିକୀୟ-ଆମେରିକୀୟ ପରିଚୟକୁ ନେଇ ଗର୍ବ କରୁଥିଲା ବେଳେ ମା’ଙ୍କ ଭାରତୀୟ ପରମ୍ପରା, ସଂସ୍କୃତିକୁ ଛାଡ଼ି ପାରି ନଥିଲେ।

ସମ୍ବନ୍ଧିତ ଖବର