ଇସ୍ଲାମାବାଦରେ ଭାରତୀୟ କୂଟନୀତିଜ୍ଞଙ୍କ ଉପରେ ପାକ ଅଧିକାରୀଙ୍କ ନିର୍ଯାତନା, ଭାରତ ଦେଲା ଚେତାବନୀ
ନୂଆଦିଲ୍ଲୀ: ଭାରତ ପକ୍ଷରୁ ପାକିସ୍ତାନର ଇସ୍ଲାମ୍ବାଦରେ ଭାରତୀୟ କୂଟନୀତିଜ୍ଞଙ୍କୁ ଦିଆଯାଉଥିବା ନିର୍ଯାତନା ନେଇ ପୁଣି ଥରେ ପ୍ରତିବାଦ କରାଯାଇଛି। ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ଭାରତୀୟ ଦୂତାବାସ ଅଧିକାରୀଙ୍କୁ ପାକ ପକ୍ଷରୁ ବିଭିନ୍ନ ଭାବେ ନିର୍ଯାତନା ଦିଆଯାଉଥିବା ନେଇ ପାକିସ୍ତାନକୁ ଭାରତ ଚେତାବନୀ ଦେଇଛି। ରାଜଧାନୀ ଇସ୍ଲାମ୍ବାଦସ୍ଥିତ ଭାରତୀୟ ହାଇ କମିସନ୍ର ଅଧିକାରୀଙ୍କ ସହିତ ୮ମାର୍ଚ୍ଚରୁ ୧୧ମାର୍ଚ୍ଚ ପର୍ଯ୍ୟନ୍ତ କରାଯାଇଥିବା ଖରାପ ବ୍ୟବହାରକୁ ନେଇ ଭାରତ ତୁରନ୍ତ ଏହି ମାମଲାର ଯାଞ୍ଚ ଆଦେଶ ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ହାଇକମିସନ୍ ପାକିସ୍ତାନର ବିଦେଶ ମନ୍ତ୍ରାଳୟକୁ ମାର୍ଚ୍ଚ ୧୩କୁ ‘ନୋଟ ଭର୍ବାଲ’ ଜାରି କରିଛି। ଏହି ନୋଟରେ ଭାରତର ଡେପୁଟି ହାଇକମିସନର, ନୌସେନା ପରାମର୍ଶଦାତା ଓ ପ୍ରଥମ ସଚିବଙ୍କ ସମେତ ଅନେକଙ୍କ ଉପରେ କଡ଼ା ନଜର ରଖାଯିବା ସହ ସେମାନଙ୍କ ତନଖି ଓ ରାସ୍ତା ରୋକିବା ଭଳି ଘଟଣାକୁ ନେଇ ବିସୃତ ଭାବେ ଆଲୋଚନା କରାଯାଇ ଥିବା କୁହାଯାଇଛି।
ଏହି ନୋଟରେ କୁହାଯାଇଛି କି, ପାକିସ୍ତାନ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ମାର୍ଚ୍ଚ ୯ରୁ ୧୦ ପର୍ଯ୍ୟନ୍ତ ଡେପୁଟି ହାଇ କମିସନର ନିର୍ଯାତନାର ଶିକାର ହୋଇଥିଲେ । ସେହିପରି ୮ମାର୍ଚ୍ଚରେ ପ୍ରଥମ ସଚିବଙ୍କୁ ନିର୍ଯାତନା ଦେଇଥିବା ଖବର ସାମ୍ନାକୁ ଆସିଥିଲା। ନୌସେନା ପରାମର୍ଶଦାତାଙ୍କୁ ବି ମାର୍ଚ୍ଚ ୮,୯, ୧୦ ଓ ୧୧ରେ ପାକିସ୍ତାନର ସୁରକ୍ଷା ଅଧିକାରୀ ଭଲ ବ୍ୟବହାର ଦେଖାଇ ନ ଥିଲେ।
ଏଥିସହିତ ମାର୍ଚ୍ଚ ୯ ଓ ୧୦ରେ ପାକିସ୍ତାନ ସିକ୍ୟୁରିଟି ଏଜେନ୍ସି ଦୁଇଜଣ ଅଧିକାରୀ ଲଗାତାର ଡେପୁଟି ହାଇ କମିସନରଙ୍କ ଘର ଉପରେ ନଜର ରଖିଥିଲେ। ଭର୍ବାଲ ନୋଟ ଏକ ପ୍ରକାର କୂଟନୈତିକ ପତ୍ର (ଡିପ୍ଲୋମେଟିକ୍ କମ୍ୟୁନିକେସନ୍) ହୋଇଥାଏ। ହାଇକମିସନ୍ ତରଫରୁ ଏହି ଘଟଣାର ତୁରନ୍ତ ଯାଞ୍ଚ ପାଇଁ ଦାବି କରାଯାଇଛି।