ଇସ୍ରାଏଲ୍‌ଠୁ କ୍ଷେପଣାସ୍ତ୍ର କିଣିବ ଭାରତ

୭୭୭ ନିୟୁତ ଡଲାରର ଚୁକ୍ତି ସ୍ବାକ୍ଷରିତ

ତେଲ୍‌ ଆବିବ୍‌: ରୁଷ୍‌ଠାରୁ ଏସ୍‌-୪୦୦ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବିଧ୍ବଂସକ ଆଣିବା ପାଇଁ ଚୁକ୍ତି ସ୍ବାକ୍ଷର କରିବା ପରେ ଭାରତ ଏବେ ଇସ୍ରାଏଲ୍‌ ସହିତ ଆଉ ଏକ ଚୁକ୍ତି ସ୍ବା‌କ୍ଷର କରିଛି। ଇସ୍ରାଏଲ୍‌ ନିକଟରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା କିଣିବା ପାଇଁ ଭାରତ ଚୁକ୍ତି କରିଛି। ଇସ୍ରାଏଲ୍‌ର ସରକାରୀ ଇସ୍ରାଏଲ୍‌ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌ (ଆଇଏଆଇ)କୁ ଏହି ୭୭୭ ନିୟୁତ ଡଲାରର ଚୁକ୍ତି ପ୍ରଦାନ କରାଯାଇଛି। ଏହାଦ୍ବାରା ଭାରତ ଏହାର ନୌସେନା କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବାକୁ ଲକ୍ଷ୍ୟ ରଖିଛି। ଚୁକ୍ତି ମୁତାବକ ଆଇଏଆଇ ଭାରତୀୟ ନୌସେନାର ୭ଟି ଯୁଦ୍ଧଜାହାଜକୁ ଏଲ୍‌ଆର୍‌ଏସ୍‌ଏଏମ୍‌ ଏୟାର ଏବଂ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଯୋଗାଇବ। କମ୍ପାନି ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ଆଇଏଆଇର ସୂଚନା ମୁତାବକ ଭାରତର ରାଷ୍ଟ୍ରାୟତ୍ତ କମ୍ପାନି ଭାରତ ଇଲେକ୍‌ଟ୍ରୋନିକ୍ସ ଲିମିଟେଡ୍‌ (ବିଇଏଲ୍‌) ସହିତ ମିଳିତ ଭାବେ କମ୍ପାନି ଏହି ଚୁକ୍ତି ହାସଲ କରିଛି। ଉଲ୍ଲେଖଯୋଗ୍ୟ, ଏଲ୍‌ଆର୍‌ଏସ୍‌ଏଏମ୍‌ ହେଉଛି ଏକ ଏୟାର ଏବଂ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା, ଯାହା ଭାରତର ନୌସେନା, ବାୟୁସେନା ଓ ସ୍ଥଳସେନା ବ୍ୟବହାର କରିଥାନ୍ତି।

ସମ୍ବନ୍ଧିତ ଖବର