ମୁକାବିଲା ପାଇଁ ଭାରତ ପ୍ରସ୍ତୁତ: ହର୍ଷବର୍ଦ୍ଧନ

ସ୍କ୍ରିନିଂରେ ନେଗେଟିଭ୍‌ ରିପୋର୍ଟ ସତ୍ତ୍ବେ ଭାଇରସ୍‌ ସଂକ୍ରମଣ ଆଶଙ୍କା ରହିଛି

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ମୁକାବିଲା ପାଇଁ ଭାରତ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ଏବଂ ଏ ଦିଗରେ ଆଗକୁ ମଧ୍ୟ ପରିସ୍ଥିତି ଦେଖି ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆଜି ଲୋକସଭାରେ କହିଛନ୍ତି। ଭାରତର ବିଭିନ୍ନ ବିମାନ ବନ୍ଦରରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍କ୍ରିନିଂ କରାଯାଇଛି। ତେବେ ସ୍କ୍ରିନିଂରେ ନେଗେଟିଭ୍‌ ରିପୋର୍ଟ ଆସିବା ପରେ ମଧ୍ୟ ଏ ନେଇ ବିପଦ ଆଶଙ୍କା ରହୁଛି ଏବଂ ସନ୍ଦିଗ୍ଧଙ୍କ ଉପରେ ଲଗାତାର ନଜର ରଖାଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏବେ ଦେଶର ୩୦ଟି ବିମାନ ବନ୍ଦରରେ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି ଏବଂ ଏହାକୁ ନେଇ କୌଣସି ସନ୍ଦେହ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏୟାରପୋର୍ଟରେ ବାହାରୁ ଆସୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି ଏବଂ କିଛି ଲୋକଙ୍କୁ ସେଠାରୁ ହିଁ ଅଲଗା କରି ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ପ୍ରତ୍ୟେକ ରାଜ୍ୟରୁ ଏବେ କରୋନା ସଂକ୍ରାନ୍ତ ସ୍ବାସ୍ଥ୍ୟ ରିପୋର୍ଟ ପ୍ରତିଦିନ ମଗାଯାଇ ଯାଞ୍ଚ ହେଉଛି। ଇରାନ୍‌ରେ ମଧ୍ୟ ଭାରତୀୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନାକୁ ନେଇ ଦେଶବ୍ୟାପୀ ଏବେ ଜନସଚେତନତା ବଢ଼ାଇବା କାର୍ଯ୍ୟକ୍ରମ ଚାଲିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର