ଶ୍ରୀଲଙ୍କାକୁ ଆଉ ୨୧ ହଜାର ଟନ୍ ସାର ପଠାଇଲା ଭାରତ

ଗତ ମାସରେ ୪୪ ହଜାର ଟନ ଦିଆଯାଇଥିଲା

ନୂଆଦିଲ୍ଲୀ : ଶ୍ରୀଲଙ୍କାର ଚୀନପ୍ରୀତି ଛାଡ଼ୁନଥିବା ସତ୍ତ୍ବେ ଭାରତ ଏହି କ୍ଷୁଦ୍ର ଦେଶକୁ ସହାୟତା ପ୍ରଦାନ ଜାରି ରଖିଛି । ଭାରତ ପକ୍ଷରୁ ବୁଧବାରଦିନ ଶ୍ରୀଲଙ୍କାକୁ ଆଉ ୨୧ ହଜାର ଟନ୍ ସାର ଯୋଗାଇ ଦିଆଯାଇଛି । ଗତ ମାସରେ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ୪୪ ହଜାର ଟନ ସାର ଯୋଗାଇ ଦିଆଯାଇଥିଲା ।

ଗତ ସପ୍ତାହରେ ଶ୍ରୀଲଙ୍କା ସରକାର ଚୀନର ଗୁପ୍ତଚର ଜାହାଜ ଉଆନ ଓ୍ବାଙ୍ଗ ୫କୁ ପ୍ରବେଶ ଅନୁମତି ଦେବା ପରେ ଭାରତ ସରକାର ଅସନ୍ତୋଷ ବ୍ୟକ୍ତି କରିଥିଲେ । ଏହା ସତ୍ତ୍ବେ ଭାରତ ନିଜର ସହାୟତା ଜାରି ରଖିଛି । ଗତ ସପ୍ତାହରେ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ଏକ ଡୋର୍ନିଅର ବିମାନ ପ୍ରଦାନ କରାଯାଇଥିଲା । ଏହି ବିମାନକୁ ଶ୍ରୀଲଙ୍କାର ନୌସେନା ନିଜ ସୀମାର ସୁରକ୍ଷା ଓ ପ୍ରହରା କାର୍ଯ୍ୟ ପାଇଁ ବ୍ୟବହାର କରିବ ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ବର୍ତ୍ତମାନ ଦେଖାଦେଇଥିବା ଖାଦ୍ୟ ସଂକଟ ପଛରେ ଏହାର ତ୍ରୁଟିଯୁକ୍ତ କୃଷିନୀତି ଅନ୍ୟତମ କାରଣ ବୋଲି କୁହାଯାଉଛି । କାରଣ ସେଠାକାର ତତକାଳୀନ ରାଜପକ୍ଷେ ସରକାର ରାସାୟନିକ ସାର ପ୍ରୟୋଗକୁ ସଂପୂର୍ଣ୍ଣ ନିଷିଦ୍ଧ କରିଦେବା ଦ୍ବାରା ଦେଶର କୃଷିଉତ୍ପାଦନ ହ୍ରାସ ପାଇଲା ଓ ଦେଶ ଖାଦ୍ୟ ସଂକଟର ସମ୍ମୁଖୀନ ହେଲା । ଏବେ ଆର୍ଥିକ ସଂକଟ ଯୋଗୁଁ ଶ୍ରୀଲଙ୍କା ସାର ଆମଦାନୀ କରିପାରୁନାହିଁ । ଭାରତର ସାର ଯୋଗାଣ ଫଳରେ ଶ୍ରୀଲଙ୍କା ନିଜର ଖାଦ୍ୟ ଉତ୍ପାଦନ ବଢାଇ ନିଜର ଖାଦ୍ୟ ସଂକଟକୁ ଦୂର କରିପାରିବ ।

 

ସମ୍ବନ୍ଧିତ ଖବର